ପଶ୍ଚିମାଝଡ଼ ପ୍ରଭାବରେ ଆଜି ସୁନ୍ଦରଗଡ଼ରେ ବର୍ଷା ହୋଇଛି । ବର୍ଷ ଶେଷ ସୋମବାରରେ ରାଜ୍ୟର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ४/୫ ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ପ୍ରାୟତଃ ପାଗ ଶୁଖିଲା ରହିବ। ସେହିପରି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଓଡି଼ଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ଓ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ସହିତ କେନ୍ଦୁଝର, ମୟୂରଭଞ୍ଜର କିଛି ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିବ।
ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ । କିନ୍ତୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି଼ ଲାଗି ରହିବ । ସେଥିପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୩୧ରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କି ଦୁଇଟି ଜାଗାରେ ମଧ୍ୟମ ଧରଣର କୁହୁଡି଼ ପଡି଼ବ । କିନ୍ତୁ ଜାନୁଆରୀ ୫ ଯାଏ ସାରା ରାଜ୍ୟର ପାଗ ଶୁଖିଲା ରହିବ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ, ଗତ ୨୬ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ଭୟ ଓଡି଼ଶାକୁ ନାହିଁ । ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହେବ । ଏହି ଚାପର ପ୍ରଭାବ ମଧ୍ୟ ଓଡି଼ଶାରେ ପଡି଼ବନି । ଗତ ୩ ଦିନ ଧରି ରାଜ୍ୟରେ ଟୋପାଟିଏ ବର୍ଷା ହୋଇନି ।
ସପ୍ତାହେ ଯାଏ ପାଗ ଖରାଟିଆ ଓ ଶୁଖିଲା ରହିବ । ଏବେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସର୍ବାଧିକ ଶୀତ ଅନୁଭୂତ ହେବ । ତା’ ପରେ ଦକ୍ଷିଣ ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା କମିଯିବ ।