ବିଦ୍ୟୁତ ବିଭାଗର ଅସାବଧାନତା ପାଇଁ ଚାଲିଗଲା ଯୁବ ଚାଷୀଙ୍କ ଜୀବନ । ଏମିତି ଏକ ଅଘଟଣ ଘଟିଛି ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ନରସିଂହପୁର ଗ୍ରାମରେ । ସୂଚନା ମୁତାବକ ଉକ୍ତ ଗ୍ରାମର ଭଗବାନ ଦାସଙ୍କ ପୁଅ ପ୍ରମୋଦ ଦାସ ନିଜ ଜମିରେ ଧାନ ବିଡା ଗଦା କରୁଥିଲେ । ଏହି ସମୟରେ ପୂର୍ବରୁ ଓହଳି ରହିଥିବା ୧୧କେଭି ବିଦ୍ୟୁତ ତାର ଛିଡି ତାଙ୍କ ଉପରେ ପଡିଥିଲା । ସଂଗେ ସଂଗେ ତାଙ୍କ ଶରୀର ଜଳିବା ସହ ଧାନଗଦା ଜଳିବାକୁ ଆରମ୍ଭ କରିଥିଲା । କେହି କିଛି ବୁଝିବା ପୂର୍ବରୁ ପ୍ରମୋଦଙ୍କ ସହ ୨ଏକର ଧାନ କ୍ଷେତ ଜଳିଥିଲା । ବିଦ୍ୟୁତ ତାରରୁ ନିଆଁ ଲାଗି ଥିବାରୁ ଭୟରେ କେହି ପାଖକୁ ଯାଇ ନ ଥିଲେ । ଫଳରେ ଘଟଣା ସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଧୀରେ ଧୀରେ ପରିସ୍ଥିତି ଉତ୍ତେଜନା ଆଡକୁ ଗତି କରୁଛି ।