ଅଲବିଦା ଅର୍ଥନୀତିର ବିନ୍ଧାଣୀ। ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବୟସାଧିକ କାରଣରୁ ଦୀର୍ଘ ଦିନ ଧରି ନିଜ ଘରେ ଚିକିତ୍ସିତ ଥିଲେ ।
ଗତକାଲି ସନ୍ଧ୍ୟାରେ ହଠାତ ବିଗିଡିଥିଲା ସ୍ୱାସ୍ଥ୍ୟବସ୍ଥା । ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ମେଡିକାଲ ଏମର୍ଜେନସୀରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଖି ବୁଜିଥିଲେ ମନମୋହନ ସିଂହ। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ କେନ୍ଦ୍ର ସରକାର ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ଗତକାଲି ରାତିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ଆଉ ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।
ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଧାରିବାରେ ତାଙ୍କର ଥିଲା ମହତ୍ତ୍ୱପୂର୍ଣ୍ଣ ଯୋଗଦାନ । ରାଷ୍ଟ୍ର ପ୍ରତି ସେବା, ନିର୍ମଳ ରାଜନୈତିକ ଜୀବନ ଓ ଅତ୍ୟନ୍ତ ବିନମ୍ରତା ପାଇଁ ସେ ସବୁଦିନ ସମସ୍ତଙ୍କ ହୃଦୟରେ ରହିବେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ବି ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ଜଣେ ବିଶିଷ୍ଟ ନେତାଙ୍କୁ ହରାଇ ପୂରା ଦେଶ ମର୍ମାହତ । ସାଧାରଣ ପୃଷ୍ଠଭୂମିରୁ ଆସି ସେ ଜଣେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ହୋଇ ପାରିଥିଲେ ।
ଅନେକ ବର୍ଷ ଧରି ଦେଶର ଆର୍ଥିକ ନୀତିରେ ନିଜ ମଜବୁତ ଛାପ ଛାଡ଼ି ଯାଇଛନ୍ତି । ଆର୍ଥିକ ନୀତିରେ ତାଙ୍କ ଅବଦାନ ସ୍ମରଣୀୟ ରହିବ । ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲେଖିଛନ୍ତି, ମୁଁ ଜଣେ ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇଲି । ଅତ୍ୟନ୍ତ ଗର୍ବର ସହ ମନେ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝି ସୋସିଆଲ୍ ମିଡିଆ ଏକ୍ସରେ ଶୋକବାର୍ତ୍ତାରେ ଲେଖିଛନ୍ତି, ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ ।
ଅର୍ଥମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ । ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ସେ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ।
ତେବେ ଆସନ୍ତୁ ଥରେ ନଜର ପକାଇବା ମନମୋହନ ସିଂହର ଜୀବନୀ ଉପରେ। ଡକ୍ଟର ମନମୋହନ ସିଂହ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ସମ୍ମାନର ସହ ଡିଗ୍ରୀ ହାସଲ କରିଥିଲେ ମନମୋହନ ସିଂହ। ଏହାପରେ ୧୯୬୨ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ନିଫିଲ୍ଡ କଲେଜରୁ ଡି.ଫିଲ୍ ଡିଗ୍ରୀ କରିଥିଲେ। ପାଠ ପଢ଼ା ସମୟରେ ସେ ସ୍ୱଳ୍ପ ସମୟ ପାଇଁ UNCTAD ସଚିବାଳୟରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପରେ ସେ ଜେନିଭାରେ ୧୯୮୭ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଉଥ୍ କମିଶନର ମହାସଚିବ ଭାବେ ନିଯୁକ୍ତ ହୋଇ ଦାୟିତ୍ୱ ସଂପାଦନ କରିଥିଲେ। ୧୯୭୧ ମସିହାରେ ମନମୋହନ ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ଏହା ପରେ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ଡକ୍ଟର ସିଂହ କାର୍ଯ୍ୟ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ୟୁଜିସିର ଅଧ୍ୟକ୍ଷ ପଦ ଅନ୍ୟତମ। ୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ଡକ୍ଟର ସିଂହ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ ।
ଏହି ସମୟରେ ସେ ଆର୍ଥିକ ସଂସ୍କାର ଦିଗରେ ଯେଉଁ ବ୍ୟାପକ ନୀତିର ଆରମ୍ଭ କରିଥିଲେ ତାହା ଏବେ ବିଶ୍ୱବ୍ୟାପୀ ସ୍ୱୀକୃତ। ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଡକ୍ଟର ସିଂହ ଅଜସ୍ର ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସେଗୁଡିକ ମଧ୍ୟରୁ ପ୍ରମୁଖ ହେଲା, ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର, କେମ୍ବ୍ରିଜ ସେଣ୍ଟ ଜୋନ୍ସ କଲେଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦତ୍ତ ରାଇଟ୍ସ ପ୍ରାଇଜ୍ ଅନ୍ୟତମ ।
ମନମୋହନ ସିଂହ ମଧ୍ୟ ଦେଶ ବିଦେଶର ଅନ୍ୟ ବହୁ ପ୍ରସିଦ୍ଧ ସଂସ୍ଥା ଓ ସଂଗଠନ ଠାରୁ ଅନେକ ସମ୍ମାନ ଲାଭ କରିଛନ୍ତି। ରାଜନୈତିକ ଜୀବନରେ ଡକ୍ଟର ସିଂହ ଭାରତୀୟ ସଂସଦର ରାଜ୍ୟସଭାକୁ ୧୯୯୧ ମସିହାରେ ନିର୍ବାଚିତ ହେବା ସହ ୧୯୯୮ ଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇଥିଲେ। ୨୦୦୪ ମସିହାର ସାଧାରଣ ନିର୍ବାଚନରେ ଡକ୍ଟର ମନମୋହନ ସିଂହ ମେ ୨୨ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏବଂ ପୁନର୍ବାର ୨୦୦୯ ମସିହା ମେ’୨୨ ତାରିଖ ଦିନ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୦ ବର୍ଷର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟକାଳ ସମୟରେ ସେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିଥିଲେ। ଡକ୍ଟର ମନମୋହନ ସିଂହଙ୍କ ସମୟରେ ଆର୍ଥିକ ଉଦାରିକରଣ ଓ ଲାଇସେନ୍ସ ରାଜର ସମାପ୍ତି ହୋଇଥିଲା। ତାଙ୍କ ସରକାର ସମୟରେ ସୂଚନା ଅଧିକାର, ଶିକ୍ଷା ଅଧିକାର ସହିତ ଭୋଜନରୁ ଆରମ୍ଭ କରି ରୋଜଗାର ପର୍ଯ୍ୟନ୍ତ ଯୋଜନା ଆରମ୍ଭ ହୋଇଥିଲା।
ଏସବୁ ଭିତରେ କିଛି ଦିନ ପାଇଁ ବିବାଦ ଘେରରେ ରହିଥିଲେ ମନମୋହନ। ତାଙ୍କ ସମୟରେ ଦରଦାମ ବୃଦ୍ଧି, ଟେଲିକମ, କୋଇଲା ଘୋଟଲା ଭଳି ସମସ୍ୟା ସାରା ଦେଶରେ ରହିଥିଲା। ଏମିତିକି ତାଙ୍କୁ ମଧ୍ୟ ଅଯୋଗ୍ୟ ପ୍ରଧାନମନ୍ତ୍ରୀ ବୋଲି ଶୁଣିବାକୁ ପଡିଥିଲା। ହେଲେ ସେ କହିଥିଲେ, “ମୋର ଭରସା ଅଛି, ଇତିହାସ ମୋ ସହିତ ନ୍ୟାୟ କରିବ”। ସେ ଗଣମାଧ୍ୟମକୁ କହିଥିଲେ, ଭାରତ ସରକାରଙ୍କ କ୍ୟାବିନେଟର ସମସ୍ତ ତଥ୍ୟ ଏଠାରେ ଉପସ୍ଥାପନ କରିବ ଠିକ ହେବ ନାହିଁ। କିନ୍ତୁ ମୁ ଦେଶ ପାଇଁ ଯେତିକି କରିଛି ଠିକ ଆଉ ଭଲ କରିଛି ବୋଲି ସେ କହିଥିଲେ।
ସେ କେବେ କାହାକୁ ଉଚ୍ଚ ସ୍ଵରରେ କଥା କହୁନଥିଲେ। ବହୁ ଗମ୍ଭୀର ରାଜନୈତିକ ପରିସ୍ଥିରେ ମଧ୍ୟ ତାଙ୍କୁ ହସୁଥିବାର ଦେଖିବାକୁ ମିଳୁଥିଲା। ସଂସଦରେ ଅନେକ ପ୍ରତିକୂଳ ପରିସ୍ଥିତି ଦେଖା ଯାଇଥିଲେ ମଧ୍ୟ ସେ କେବେହେଲେ ସାଂସଦ ପଦର ମର୍ଯ୍ୟାଦା କରି ନ ଥିଲେ।