ମୁଁ ଦୃଢତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ । ଦଳ ଲୋକଙ୍କ ହକ ପାଇଁ ଲଢିଆସିଛି ଆଗକୁ ବି ଲଢିବ । ହଁ ଆଜ୍ଞା, ବିଜେଡି ପ୍ରତିଷ୍ଠା ଦିବସରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ନବୀନ କହିଛନ୍ତି, ଦଳ ଗଠନ ବେଳେ କିଛି ନିନ୍ଦୁକ ଯେପରି କହିଥିଲେ ଏହି ଦଳର ଭବିଷ୍ୟତ ନାହିଁ ଏବେ ବି ସେମିତି କହୁଛନ୍ତି ଏ ଦଳ ରହିବ ନାହିଁ । ମୁଁ ଦୃଢତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ । ଲୋକଙ୍କ ହକ ପାଇଁ ଲଢିଆସିଛି ଆଗକୁ ବି ଲଢିବି ।
୧୯୯୭ ଡିସେମ୍ବର ୨୬ତାରିଖରେ ବିଜେଡି ଦଳ ପ୍ରତିଷ୍ଠା ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ସାଙ୍ଗରେ ନେଇ ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । କିନ୍ତୁ ସେତେବେଳେ ବହୁ ଲୋକ କହିଥିଲେ ଏ ଦଳ ବଞ୍ଚିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ କହିଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଓଡିଶାବାସୀଙ୍କ ଆଶୀର୍ବାଦ ପାଇଁ ପାଞ୍ଚ ପାଞ୍ଚ ଥର କ୍ଷମତାକୁ ଆସି ସେବା କରିବାର ସୁଯୋଗ ପାଇଛି ।
ଏହାସହ ପରାଜୟର କାରଣ କହିଛନ୍ତି ନବୀନ । ସେ କହିଛନ୍ତି ଯେ ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ବିଜେଡି କାହିଁକି ହାରିଲା ? ଯାହାର ଉତ୍ତର ସେ ରଖିଛନ୍ତି । ସେ କହିଛନ୍ତି, ଆମେ ହାରିନାହୁଁ । କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ବିଜେପି ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମଠୁ କମ୍ ଭୋଟ୍ ପାଇଛି । ଆମର ଭୁଲ ହେଲା, ବିଜେପି ମିଛକୁ ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ସୋସିଆଲ ମିଡିଆରେ ବିଜେପିର ମିଛ ପ୍ରଚାରକୁ ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି ।
ତେବେ ଖାଲି ସେତିକି ନୁହେଁ, ବିଜେପିକୁ ନବୀନ କାଉଣ୍ଟର ମଧ୍ୟ କରିଛନ୍ତି ।
ବର୍ତ୍ତମାନର ସରକାର ଲୋକଙ୍କୁ ଦରଦାମ୍ ବୃଦ୍ଧି ର ବଡ ଉପହାର ଦେଇଛନ୍ତି । ଡାଲି, ଚାଉଳଠୁ ନେଇ, ତେଲ ଓ ପିନିପରିବା ବୃଦ୍ଧି ପାଇଛି । ପ୍ରତି ପରିବାର ଆଜି କାନ୍ଦୁଛି । ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମାଆ ମାନେ ଦୁଃଖରେ ଅଛନ୍ତି । କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ସରକାର ।
ରାଜ୍ୟ ସରକାରଙ୍କୁ ଏଭଳି କହି ଜୋରଦାର ବର୍ଷିଛନ୍ତି ବିଜେଡି ସୁପ୍ରିମୋ ।