ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମୁହାଁମୁହିଁ। ଏବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କ୍ଷମତାରେ ଥିଲେ ବି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ଆଗରୁ ଆପ୍ ଦୁଇଟି ବଡ଼ ଘୋଷଣା କରିଛି। ବରିଷ୍ଠ ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ସଂଜୀବନୀ ଯୋଜନା ଓ ମହିଳାଙ୍କୁ ଆର୍ଥିକ ସହାୟତା ପାଇଁ ମହିଳା ସମ୍ମାନ ଯୋଜନା ଘୋଷଣା କରାଯାଇଛି। ଏପରିକି ଏହାର ପଂଜୀକରଣ ପାଇଁ ନିଜେ ଆପ୍ ତରଫରୁ ବିଭିନ୍ନ କଲୋନି ବୁଲୁଛନ୍ତି ଆପ ନେତା।
ଆପର ଏତେ ପ୍ରସ୍ତୁତି ଭିତରେ ପୁଣି ଆପ ଏବଂ ବିଜେପି ମୁହାଁମୁହିଁ। ଆପ ବିରୋଧରେ କେସ୍ କରିବା ପାଇଁ ପରିବହନ ବିଭାଗରେ ପ୍ରସ୍ତୁତି ଚାଲିଛି । ମିଛ ମାମଲାରେ ଫସାଇ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏମାନେ ଗିରଫ କରିବେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି କିଛି ବଡ଼ ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ।ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। କେବଳ ଏତିକି ନୁହେଁ ଏହି ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ୍ ମଧ୍ୟ କରିଛନ୍ତି । ଦିଲ୍ଲୀ ସରକାରଙ୍କର ଯୋଜନାକୁ ବନ୍ଦ କରିଥିବାର ଅଭିଯୋଗ ମଧ୍ୟ କରିଛନ୍ତି ।
କେଜ୍ରିୱାଲ କହିଛନ୍ତି, ଆତିଶୀଙ୍କୁ ଗିରଫ କରିବା ପୂର୍ବରୁ ସେମାନେ ମୋ ସମେତ ଆପ୍ର ଅନେକ ବଡ଼ ନେତାଙ୍କ ଘରେ ଚଢ଼ାଉ କରିବେ। ଏହା ପଛର ଉଦ୍ଦେଶ୍ୟ ହେଉଛି ଆପ୍କୁ ତା’ର ସକରାତ୍ମକ ଅଭିଯାନରୁ ବିଭ୍ରାନ୍ତ କରିବା। ଏହାସହ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଗତ ୧୦ ବର୍ଷ ହେବ ବିଜେପି କେଉଁ ଭଳି ଦିଲ୍ଲୀବାସୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛି ତାହା ସମସ୍ତଙ୍କୁ ଭଲଭାବେ ଜଣା। ଯଦି ତାଙ୍କୁ ଭୋଟ୍ ଦିଆଯାଏ ତେବେ ସେ କ’ଣ କରିବେ ତାହା କହିପାରିବେ ନାହିଁ? ସେମାନଙ୍କ କାମ କେବଳ ଆମକୁ ଦୁର୍ବ୍ୟବହାର କରିବା। ସେମାନେ ଏବେ ବି ମୋର ନିନ୍ଦା କରିବ ଜାରି ରଖିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନାହିଁ କି ଏଜେଣ୍ଡା ନାହିଁ । ଆମେ ବିଦ୍ୟାଳୟ, ଡାକ୍ତରଖାନା, ବିଦ୍ୟୁତ୍, ଜଳ, ବସ୍ ଯାତ୍ରା, ତୀର୍ଥଯାତ୍ରା ବିଷୟରେ ଆଲୋଚନା କରୁଛୁ । ତେଣୁ ଆମକୁ ଭୋଟ୍ ଦେବା ଉଚିଚ୍ ।
ଏହିସବୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅତିଶି ମୁହଁ ଖୋଲିଛନ୍ତି। ବିଜେପିର ସବୁ ଷଡ଼ଯନ୍ତ୍ର ଫେଲ୍ ମାରିବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ଭରସା ଅଛି। ସ୍ଵାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ତରଫରୁ ଯେଉଁ ନୋଟିସ୍ ବାହାର କରାଯାଇଛି, ତାହା ଠିକ୍ ନୁହେଁ। ବିଜେପିର ଚାପରେ ଅଧିକାରୀମାନେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି। ପରିବହନ ବିଭାଗ ସହ ଜଡିତ ମୋ ବିରୋଧରେ ଏକ ନକଲି ମାମଲା ରୁଜୁ ହୋଇଛି । ଏହାର ପରିଣାମକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି । ଆମ ଦେଶର ଆଇନ ଉପରେ ମୋର ବିଶ୍ୱାସ ଅଛି । ଯଦି ମୋତେ ଗିରଫ କରାଯାଏ ତେବେ ମୁଁ ଜାମିନ ପାଇବି।