ସମୟ ଖୁବ ଆଗକୁ ବଢିଯାଇଛି ନା, ଆଉ ଆମେ ବି ସମୟ ସହ ତାଳ ଦେଇ ଆଗକୁ ବଢି ଚାଲିଛେ। ପଛକୁ ଦେଖିବା ପାଇଁ କାହାକୁ ବା ସମୟ ଅଛି। ଆଉ ଏହି ବ୍ୟସ୍ତ ବହୁଳ ଜୀବନରେ ଯେତେବେଳେ ଟିକେ ବିରତି ମିଳେ, ପୁଣି ସେହି ପୁରୁଣା ଦିନ ମନେପଡିଯାଏ। ପୁଣି ସେଇ ହଜିଲା ଦିନକୁ ଖୋଜିବାକୁ ଇଛା ହୁଏ। ଅତୀତ ସୃତିକୁ ସାଂଉଟିବାକୁ ମନ ହୁଏ। ମନ କୁହେ ପୁଣି ସେଇ ଛୋଟ ପିଲା ହୋଇଯାଆନ୍ତି କି। ଦୁନିଆର ସବୁ ଚିନ୍ତାକୁ ଭୁଲି ଅପେକ୍ଷା କରନ୍ତି ରବିବାରକୁ।
ସତରେ ରବିବାର ସବୁ କାମ ସାରି ଟିଭି ଲଗାଇ ଭାଇଭଉଣୀ ସହ ମିଶି ଟିଭି ଦେଖିବାର ମଜା କିଛି ଅଲଗା ହିଁ ଥିଲା। ପିଲାଦିନର ସେଇ ରବିବାର।ଆଉ ସେପେଟେ ମାର ପାଟି ।ସବୁବେଳେ ସେଇ ଟିଭି ପାଖରେ ଅନେଇ ବସିଥା, ଯାଇକି ଟିକେ ପାଠ ପଢ, ଆରେ ଖାଇବୁ ଆ। ଏଭଳି କେତେ କଣ। କିନ୍ତୁ ମାଁ କଣ ବୁଝିବ ଯେ ସପ୍ତାହର ଛୁଟି ଭିତରେ ରବିବାର ଅପେକ୍ଷା ଥାଏ କେବଳ ଶକ୍ତିମାନ ଦେଖିବା ପାଇଁ।
ପିଲା ପାଠ ପଢୁଥିଲେ, ଘରର ମହିଳା କାମ କରିବାରେ ବ୍ୟସ୍ତ ରହୁଥିଲେ, ବୟସ୍କ ଲୋକ ଯଦି ନିଜ ସାଙ୍ଗମାନଙ୍କ ସହ ଗପ କରିବାରେ ବ୍ୟସ୍ତ ରହିଲେ ମଧ୍ୟ ଯେମିତି ଶକ୍ତିମାନର ଦେବାର ସମୟ ହୋଇଯାଏ ସମସ୍ତେ ନିଜ କାମ ସାରି ଟିଭି ସାମ୍ନାରେ ବସି ପଡନ୍ତି ଶକ୍ତିମାନ ଦେଖିବା ପାଇଁ।
ଶକ୍ତିମାନ ତାଙ୍କୁ କି ଏ ବା ନଜାଣେ। 90 ଦଶକରେ ଭାରତୀୟ ମନୋରଞ୍ଜନ ଦୁନିଆର ସବୁଠୁ ଅଧିକ ଲୋକପ୍ରିୟ ସୋ କହିଲେ ଶକ୍ତିମାନ ନାଁ ସବୁଠୁ ଆଗରେ ଆସେ। ମୁକେଶ ଖାନ୍ନାଙ୍କ ଅଭିନିତ ଏହି ଶୋକୁ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନେକ ବର୍ଷ ଯାଏଁ ବାନ୍ଧି ରଖିଥିଲା। ଦୁରଦର୍ଶନ ଟିଭି ଚ୍ୟାନେଲରେ ଏହି ଶୋ 1997ରୁ ଆରମ୍ଭ କରି 2005 ଯାଏଁ ଚାଲିଥିଲା। 8 ବର୍ଷ ଭିତରେ 400 ଏପିସୋଡରେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା। ସେହି ସମୟରେ ଘରେ ଘରେ ପିଲାଙ୍କ ଫେବରେଟ ସୋ ପାଲଟିଥିଲା ଶକ୍ତିମାନ।
ଯେତେବେଳେ ସ୍ପାଇଡରମ୍ୟାନ, ସୁପରମ୍ୟାନର କ୍ରେଜ ପିଲାଙ୍କ ମଧ୍ୟରେ ଚାଲିଥିଲା, ସେତେବେଳେ ଭାରତୀୟ ମାନଙ୍କୁ ପାଗଳ କରିଥିଲା ଶକ୍ତିମାନ। ରବିବାର ହେଲେ କେତେବେଳେ ଶକ୍ତିମାନ ନାଲିରଙ୍ଗରେ ସୁନେଲି ଆଉ ଚକ୍ର ଚିହ୍ନର ଡ୍ରେସ ପିନ୍ଧି ଆସିବେ ଅପେକ୍ଷାରେ ମୋ ସହ ଆପଣମାନେ ବି ରହୁଥିବେ।
ଆଉ ଆଜି ସମୟ ବଦଳିଛି, ଆମେ ବି ଖୁବ ବଡ ହୋଇସାରିଲେଣି। ଆଉ ସମୟ ନାହିଁ ଟିକେ ବସି ଅତୀତର ସେହି ଦିନକୁ ପୁଣି ଜିଇଂବାକୁ। ସମୟ ସହ ଧାରାବାହିକ ବି ବଦଳିଛି। କିନ୍ତୁ ଆଜିବି ଝୁରୁଛନ୍ତି ଦର୍ଶକ ଶକ୍ତିମାନକୁ। କିନ୍ତୁ ଶକ୍ତିମାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। କାରଣ ଖୁବ ଶୀଘ୍ର ପରଦାକୁ ଫେରିବ ଶକ୍ତିମାନ। ଦୀର୍ଘ 19 ବର୍ଷ ପରେ ଆପଣମାନେ ପୁଣି ସେହି ହଜିଲା ଦିନର କିଛି ମୁହୂର୍ତ୍ତକୁ ସାଂଉଟିପାରିବେ। କାରଣ ନିକଟରେ ଲେଟେଷ୍ଟ ଟିଜର ରିଲିଜ ହୋଇଛି। ଶକ୍ତିମାନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନା ଏବେ ତାଙ୍କ ଶୋ’ର ପୁନଃ ଆରମ୍ଭ ନେଇ ଘୋଷଣା କରିଛନ୍ତି।
ମୁକେଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ପେଜରେ ଏକ ଟିଜର ଓ ପୋଷ୍ଟର ଶେୟାର କରି ‘ଶକ୍ତିମାନ’ ପୁଣି ଫେରିବା ନେଇ ଘୋଷଣା କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, ‘ବର୍ତ୍ତମାନ ଫେରିବାର ସମୟ ଆସିଛି। ଆମର ପ୍ରଥମ ଭାରତୀୟ ସୁପର ଶିକ୍ଷକ- ସୁପର ହିରୋ। ଯେହେତୁ ଆଜିକାଲିର ପିଲାଙ୍କୁ ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି କବଳ କରିଛି, ତେଣୁ ମୋ ଫେରିବାର ସମୟ ଆସିଛି। ମୁଁ ଏକ ବାର୍ତ୍ତା ନେଇ ଫେରୁଛନ୍ତି। ଆଜିର ପିଢ଼ିଙ୍କ ପାଇଁ ଏକ ଶିକ୍ଷା ସହ ଫେରୁଛନ୍ତି.. ମୋତେ ଦୁଇ ହାତରେ ସ୍ୱାଗତ କରନ୍ତୁ।
ଟିଜର ବିଷୟରେ କହିବାକୁ ଗଲେ, ଏହା ମୁଖ୍ୟତଃ ‘ଶକ୍ତିମାନ’ର ପୁରୁଣା ଏପିସୋଡଗୁଡିକର ଝଲକ ଦେଖିବାକୁ ମିଳିଛି । ଶକ୍ତିମାନ ଘୁରି ଘୁରି ଗୋଟିଏ ସ୍କୁଲରେ ପହଂଚୁଛନ୍ତି। ସେଠାରେ ସେ ବୀର ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଛନ୍ତି, ଯାହା ପ୍ରଶଂସକଙ୍କ ଉତ୍ସାହ ବଢାଇଦେଇଛି। ଅନେକ ଯୁଜର୍ସ କମେଣ୍ଟ ଜରିଆରେ ନିଜର ଖୁସି ଏବଂ ଅତୀତର କଥାକୁ ଜଣାଇଛନ୍ତି।