ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ରାଜ୍ୟବାସୀଙ୍କ ମନ ଜିତି ପୁଣି ଶାସନ ଗାଦୀକୁ ଫେରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବିରୋଧି ଗୋଷ୍ଠୀ । ଏପଟେ ସରକାରରେ ରହିବା ସହ ଜନତାଙ୍କ ବିଶ୍ବାସ ବଜାୟୀ ରଖିବା ପାଇଁ ପ୍ରୟାସ ଜାରିରଖିଛି ବିଜେପି । କିନ୍ତୁ ବିଧାନସଭା ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସରକାରଙ୍କ ବିରୋଧରେ ତେଜିଥିବା ଆନ୍ଦୋଳନ ବିଜେଡିର ମନୋବଳକୁ ଦୃଢ କରିଛି । ବିଜେଡି ଏହି ବିଶ୍ବାସ ରଖିଛି ଯେ ଏବେବି ବିଜୁ ଜନତା ଦଳ ଓ ନବୀନ ରାଜ୍ୟବାସୀ ଙ୍କ ପ୍ରିୟ ହୋଇ ରହିଛନ୍ତି । ତେଣୁ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବି କହି ଜନତାଙ୍କ ନିକଟରେ ପୁଣଇ ହିରୋ ସାଜିଛନ୍ତି ବିଜେଡି ସୁପ୍ରିମୋ । ୨୪ବର୍ଷ ଧରି ଶାସନରେ ରହିବା ପରେ ଏବେ ବିରୋଧୀ ସିଟରେ ବିଜେଡି । ଜନତାଙ୍କ ବିଶ୍ବାସ ଫେରିପାଇବା ପାଇଁ ପୋଲାଭରମକୁ ଅସ୍ତ୍ର କରିଛି ଦଳ । ଏଥିସହ ଏହି ପ୍ରସଙ୍ଗ ଉଠାଇ ଏକା ସାଙ୍ଗରେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ବିଜେପିକୁ ଟାର୍ଗେଟ୍ କରିବାକୁ ରଣନୀତି କରିଛି ।
କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର, ରାଜ୍ୟରେ ବିଜେପି ସରକାର ଓ ଆନ୍ଧ୍ରପ୍ରଦେଶରେ ବିଜେପିର ମେଣ୍ଟ ସହଯୋଗୀ ଟିଡିପି କ୍ଷମତାରେ ରହିଛି । ଏହାପରେ ବି ଓଡିଶା ସ୍ବାର୍ଥକୁ ଅଣଦେଖା କରାଯାଉଥିବା ନେଇ ନାରେଟିଭ୍ ପ୍ରସ୍ତୁତ କରୁଛି ବିଜେଡି । କେନ୍ଦ୍ର ବଜେଟରେ ପୋଲାଭରମ୍ ପାଇଁ ଆର୍ଥିକ ସହାୟତା ଘୋଷଣା ପରଠୁ ରଣନୀତି ହିସାବରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ଦଳ । ଗ୍ରାଉଣ୍ଡରେ ଅନୁଧ୍ୟାନ ହେଉ କି ଦିଲ୍ଲୀରେ ଦାବି ଉଠାଇବା, ବିଭିନ୍ନ ସ୍ତରରେ ଲୋକଙ୍କ ସ୍ବର ଉଠାଇଛି ବିଜେଡି । ନୂଆବର୍ଷରୁ ପୋଲାଭରମ୍ ବିରୋଧରେ ଜୋରଦାର ଆନ୍ଦୋଳନ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି ।
ଜାନୁଆରୀରୁ ଜୋରଦାର ହେବ ପୋଲାଭରମ୍ ଆନ୍ଦୋଳନ । କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଆନ୍ଧ୍ରକୁ ଆର୍ଥିକ ସହାୟତା ଘୋଷଣା ପରଠୁ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛି ବିଜେଡି । ପ୍ରଥମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଥିଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଥିଲା ବିଜେଡିର ପ୍ରତିନିଧି ଦଳ । ଆଜି ଏନେଇ ପ୍ରତିନିଧି ଦଳ ନବୀନ ନିବାସରେ ବିସ୍ତୃତ ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି । ପୋଲାଭରମ ପ୍ରକଳ୍ପକୁ ଅସ୍ତ୍ର କରି ବିଜେପି ସରକାର ବିରୋଧରେ ଜାନୁଆରୀରେ ଜୋରଦାର ଆନ୍ଦୋଳନ କରିବ ବିଜେଡି । ଆହୁରି ଶାଣିତ ହେବ ଓଡିଶା ଓ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ବିଜେଡିର ଲଢେଇ । ନିଜେ ଲଢିବା ସହ ଦଳର ନେତା ଓ କର୍ମୀଙ୍କୁ ବି ଲଢିବା ନେଇ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୋଲାଭରମ୍ ନେଇ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେଇଥିଲେ ବିଜେଡି ପ୍ରତିନିଧି ଦଳ । ନବୀନଙ୍କୁ ଦିଲ୍ଲୀ ଗସ୍ତ ନେଇ ରିପୋର୍ଟ ଦେବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଜାନୁଆରୀରୁ ପୋଲାଭରମ୍ ବିରୋଧୀ ଆନ୍ଦୋଳନ ଜୋରଦାର ହେବ ବୋଲି ନବୀନ କହିଛନ୍ତି ।
ମାଲକାନଗିରି ମୋଟୁରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି ନବୀନ କହିଛନ୍ତି । ପୋଲାଭରମ୍ ପ୍ରକଳ୍ପ ଅଞ୍ଚଳରେ ବାସ୍ତବ ସ୍ଥିତି କଣ? ଏନେଇ ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଥିଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ଓ ପଡ଼ିଆ ଅଞ୍ଚଳର ୨ଶହରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହେବ। ଭିଟାମାଟି ଓ ଜୀବନ ଜୀବିକା ଉଜୁଡି ଯିବ । ବର୍ଷାଦିନେ ପୋଲାଭରମ୍ ପାଇଁ ମାଲକାନଗିରି ସ୍ଥିତି ଜଟିଳ ହେବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ଜଣାଇଥିଲେ । ପରେ ଦେବୀ ମିଶ୍ରଙ୍କ ନେତୃତ୍ବରେ ରାଜ୍ୟର ବିଜେଡି ପ୍ରତିନିଧି ଓ ଦଳର ରାଜ୍ୟସଭା ସାଂସଦ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ଭେଟି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ ।