ଓଡ଼ିଶା ପର୍ଯ୍ୟଟନ ତାଲିକାରେ କୋରାପୁଟର ସ୍ଥାନ ସ୍ବତନ୍ତ୍ର । ଶୀତ ଦିନେ ବୁଲାବୁଲି କିମ୍ବା ପିକନିକ୍ କଥା ପଡିଲେ ପ୍ରଥମେ ମନକୁ ଆସେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ । ଦେଓମାଳିରେ ସୂର୍ଯ୍ୟୋଦୟ, ପାହାଡ ଝରି ଝରି ଆସୁଥିବା ଜଳପ୍ରପାତ, କଫି ବଗିଚାର ମହକ ସାଙ୍ଗକୁ ଶୀତୁଆ ସକାଳେ ପାହାଡ ପାଦଦେଶରେ ଅଳସ ଭାଙ୍ଗୁଥିବା ଅଳସୀ ଫୁଲର ସମ୍ଭାର ପର୍ଯ୍ୟଟକଙ୍କୁ ଆନମନା କରେ । ପ୍ରକୃତି ପ୍ରେମୀଙ୍କ ପାଇଁଏହା କେଉଁ ଭୂସ୍ବର୍ଗଠୁ କମ୍ ନୁହେଁ । ସବୁଜ ଶୋଭାରାଜିରେ ବିମଣ୍ଡିତ କୋରାପୁଟରେ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର ଶୋଭା ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।
ଯଦି ଆପଣ ବି ଏହି ଶୀତ ଦିନେ କୋରାପୁଟ ଯିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ କୋରାପୁଟର ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କହିବୁ, ଯାହାର ସୌନ୍ଦର୍ଯ୍ୟ ଆପଣଙ୍କୁ ନିଆରା ଅନୁଭୂତି ଦେବ ।
ପୁଞ୍ଜିସିଲି ଜଳପ୍ରପାତ: କୋରାପୁଟର ପର୍ବତମାଳା ମଧ୍ୟରେ ରହିଛି ଅନେକ ଛୋଟ ବଡ ସୁନ୍ଦର ଝରଣା ଓ ଜଳପ୍ରପାତ । ସେଥିମଧ୍ୟରୁ ଅନ୍ୟତମ ପୁଞ୍ଜିସିଲି ଜଳପ୍ରପାତ । ଏହା ସଦର ମହକୁମାଠାରୁ ମାତ୍ର 22 କିଲୋମିଟର ଦୂରରେ ଅବସ୍ଥିତ । ପୁଞ୍ଜିସିଲର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନ ମୁଗ୍ଧ କରେ । ଏଠାରେ ବଣଭୋଜି କରିବା ପାଇଁ ସମସ୍ତ ସୁବିଧା ରହିଛି । ତେଣୁ ପରିବାର ସହ ବୁଲାବୁଲି କରିବା ପାଇଁ ଏହା ଏକ ଭଲ ସ୍ଥାନ।
ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାରି କରି ପ୍ରକୃତି କୋଳରେ ସମୟ କାଟିବାକୁ ଚାହୁଁଥିଲେ କୋରାପୁଟଠାରୁ ଆଉ କିଛି ଭଲ ସ୍ଥାନ ହୋଇନପାରେ । ଏଠାରେ ନିଜ ସାଙ୍ଗସାଥୀ ଓ ପରିବାର ସହ ଏକ ସୁନ୍ଦର ଭ୍ରମଣ ଅନୁଭୂତି ପାଇପାରିବେ ।