କୁହାଯାଏ ଯଦି ଗୋଟେ ପିଲାକୁ ଭଲ ଗୁରୁ ଏବଂ ପରିବାରର ସାଥ ମିଳିଯାଏ, ତେବେ ତାକୁ ତାର ଲକ୍ଷ୍ୟ ହାସଲ୍ କରିବାକୁ ଅଧିକ ସମୟ ଲାଗେ ନାହିଁ । ଏମିତି ଏକ ପିଲା ବିଷୟରେ ଆମେ କହିବାକୁ ଯାଉଛୁ ଯିଏ କି ନିକଟରେ ବିଶ୍ବ ଚେସ୍ ଚାମ୍ପିୟନର ଟ୍ରଫି ହାସଲ୍ କରିଛନ୍ତି। ଯିଏ କି ପୁରା ସୋସିଆଲ ମିଡିଆରେ ଭାଇରାଲ୍ ହଉଛନ୍ତି। ସେ ହେଉଛନ୍ତି, ଡି ଗୁକେଶ୍। ଯିଏ କି ଛୋଟ ବେଳୁ ହିଁ ବିଶ୍ବ ଚେସ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଥିଲେ। କଥାରେ ଅଛି ଯଦି ତୁମେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରିସାରିଛ, ତା ପାଇଁ କଠିନ ପରିଶ୍ରମ କରୁଛ ତେବେ ସଫଳତା ନିଶ୍ଟିନ୍ତ ତୁମ ପାଖକୁ ଆସିବ। ଏହି କଠିନ ପରିଶ୍ରମ ଏବଂ ଅତ୍ମବିଶ୍ବାସ ପାଇଁ ୧୮ ବର୍ଷର ଡି ଗୁକେଶ ସର୍ବ କନିଷ୍ଠ ବିଶ୍ବ ଚେସ୍ ଚାମ୍ପିୟନର ଅଧିକାରୀ ହୋଇପାରିଛନ୍ତି ।
ଏହି ଇତିହାସ ରଚିଥିବା ଡି ଗୁକେସ ଏବେ ଗ୍ରାଣ୍ତମାଷ୍ଟର ଡି ଗୁକେଶ ନାମରେ ଜଣାଶୁଣା। ଚେସର ନୂଆ ବିଶ୍ବ ଚାମ୍ପିୟନ ହୋଇଛନ୍ତି ୧୮ବର୍ଷର ଡି ଗୁକେଶ। ବିଶ୍ବ ଚେଷ ଚାମ୍ପିୟନସିପ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବ କନିଷ୍ଠ। ବିଶ୍ୱ ଚେସ୍ ଚାମ୍ପିୟନସିପର ନିର୍ଣ୍ଣାୟକ ମ୍ୟାଚର ୧୪ଶ ବାଜିରେ ସେ ଚୀନ୍ର ଡିଫେଣ୍ଡିଂ ଚାମ୍ପିୟନ୍ ଡିଙ୍ଗ୍ ଲିରେନଙ୍କୁ ପରାସ୍ତ କରିଛନ୍ତି। ଏହା ସହିତ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଗୁକେଶ।
ତେବେ ଗୁକେଶଙ୍କ ସଫଳତାକୁ ନେଇ ତାଙ୍କ ବିଷୟରେ ଯେତିକି ଚର୍ଚ୍ଚା ହେଉଛି , ତାଠାରୁ ବେଶୀ ଆଲୋଚନା ହେଉଛି ସେ ତେଲୁଗୁ ନା ତାମିଲ। ତାଙ୍କ ସଫଳତାର ଶ୍ରେୟ ନେବା ପାଇଁ ଆନ୍ଧ୍ରାପ୍ରଦେଶ ଏବଂ ତାମିଲନାଡୁ ଭିତରେ ଟଣା ଓଟରା ଆରମ୍ଭ ହୋଇଛି। ଦୁଇ ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା ଅଧିକ ବଢୁଛି। ଗୁକେଶ ତେଲୁଗୁ ନା ତାମିଲ।
ଉଭୟ ଆନ୍ଧ୍ରାପ୍ରଦେଶ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଗୁକେଶଙ୍କୁ ନିଜ ରାଜ୍ୟର ବୋଲି ଦାବି କରିଛନ୍ତି। ଗୁକେଶଙ୍କୁ ଐତିହାସିକ ବିଜୟ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଯୁବ ଚାମ୍ପିୟନଙ୍କୁ ଏକ ସ୍ବର୍ଣ୍ଣ ପଦକ ଦେଉଥିବାର ଏକ ଫଟୋ ସେୟାର କରି ନିଜ ପୋଷ୍ଟରେ ଲେଖିଛନ୍ତି, ଉଲ୍ଲେଖନୀୟ ସଫଳତା। ଚେନ୍ନାଇରୁ ଆଉ ଜଣେ ବିଶ୍ବ ଚାମ୍ଫିୟନ ବାହାରି ଆମ ସହରକୁ ବିଶ୍ବ ଚେସ ରାଜଧାନୀ ଭାବରେ ନିଜ ସ୍ଥାନକୁ ଦୃଢିଭୂତ କଲା। ତାମିଲନାଡୁ ତୁମ ପାଇଁ ଗର୍ବିତ। କେବଳ ଏତିକି ନୁହେଁ ଗୁକେଶଙ୍କୁ 5 କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ଡାମିଲନାଡୁ ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପୋଷ୍ଟ କରିବାର ଠିକ ଦୁଇ ମିନିଟ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଟ୍ବିଟ କରିଛନ୍ତି। ସେଥିରେ ଲେଖାଥିଲା, ଆମ ନିଜ ତେଲୁଗୁ ପିଲାକୁ ଅନ୍ତରରୁ ସୁଭେଛ୍ଛା। ସାରା ଦେଶ ତୁମର ଏହି ସଫଳତାକୁ ପାଳନ କରୁଛି। ଆଗାମୀ ଦିନରେ ତୁମକୁ ଆହୁରି ଅଧିକ ବିଜୟ ଏବଂ ପ୍ରଶଂସା ମିଳୁ। ସିଙ୍ଗାପୁରରେ ଇତିହାସ ରଚିଥିବାରୁ ଅଭିନନ୍ଦନ।
ତେବେ କେବଳ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସୀମିତ ରହିନି ଏହି ବିତର୍କ। ଏହା ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ସବୁଠାରୁ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଦକ୍ଷିଣ ଭାରତର ଏହି ଦୁଇ ରାଜ୍ୟ ଗୁକେଶଙ୍କୁ ନିଜ ରାଜ୍ୟର ବୋଲି ଦାବି କରୁଛନ୍ତି