ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କେଶ ଝଡିବାକୁ ନେଇ ଆଜିକାଲି ସମସ୍ତେ ଚିନ୍ତାରେ ଅଛନ୍ତି | ପୁରୁଷ ହୁଅନ୍ତୁ କି ମହିଳା ସମସ୍ତଙ୍କ ପାଇଁ କେଶ ଝଡିବା ଏକ ବିରାଟ ବଡ ସମସ୍ୟା ପାଲଟିଛି । କମ୍ ବୟସରୁ ଅନେକ ଯୁବକ ଚନ୍ଦାପଣର ଶିକାର ହେଉଥିବା ଦେଖାଯାଉଛି । କେଶ ଝଡିବା କମାଇବାକୁ କେହି ମହଙ୍ଗା ତେଲ ଲଗାଉଛନ୍ତି ତ ଆଉ କେହି ଘରୋଇ ଉପଚାର କରୁଛନ୍ତି, ତଥାପି କୌଣସି ଲାଭ ମିଳୁ ନାହିଁ । ସାଧାରଣତଃ ଖରାପ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ଏହି ସମସ୍ୟାର ମୁଖ୍ୟ କାରଣ । ଏହାସହିତ ଆମେ ବି ବେଳେବେଳେ ଏପରି କିଛି କାମ କରିଥାଉ ଯାହା କେଶକୁ କ୍ଷତି ପହଞ୍ଚାଇ ଥାଏ । ଆଜି ଆମେ ଆପଣଙ୍କୁ ସେହିପରି କିଛି ସାଧାରଣ ଭୁଲ ବିଷୟରେ କହିବୁ ଯେଉଁ କାରଣରୁ କେଶ ଝଡିବା ସମସ୍ୟା ଦେଖାଯାଏ ।
ପ୍ରତିଦିନ ସାମ୍ପୁ କରିବା:
ସବୁଦିନ କେଶ ଧୋଇବା ଦ୍ବାରା ଏଥିରୁ ପ୍ରାକୃତିକ ତେଲ ବାହାରିଯାଏ । ଯାହାଫଳରେ କେଶ ରୁକ୍ଷ ହେବା ସହ ଝଡି ଥାଏ । ତେଣୁ ପ୍ରତିଦିନ ସାମ୍ପୁରେ କେଶ ଧୁଅନ୍ତୁ ନାହିଁ । ସପ୍ତାହକୁ 2ରୁ 3 ଥର ସାମ୍ପୁ କରିବା ଭଲ ।
ଓଦା କେଶ କୁଣ୍ଡାଇବା:
ଓଦା କେଶ ଦୁର୍ବଳ ହୋଇଥାଏ । ମୁଣ୍ଡ ଧୋଇବା ପରେ ସାଙ୍ଗେ ସାଙ୍ଗେ କୁଣ୍ଡାଇଲେ ଅଧିକ ଝଡିବା ସମସ୍ୟା ଦେଖାଯାଏ । ତେଣୁ ଓଦା କେଶକୁ ଜମାରୁ କୁଣ୍ଡାଇବେ ନାହିଁ । ଭଲ ଭାବେ ଶୁଖିଲା ପରେ କୁଣ୍ଡାଇବା ଉଚିତ୍ । ସେହିପରି ଓଦା ମୁଣ୍ଡରେ ଶୋଇଲେ ମଧ୍ୟ କେଶ ଝଡିଥାଏ । ସବୁବେଳେ କାଠ ପାନିଆରେ ମୁଣ୍ଡ କୁଣ୍ଡାଇବା ଭଲ । ଏଥିରେ କେଶ କମ୍ ଝଡିଥାଏ ।
ଟାଇଟ୍ ହେୟାରଷ୍ଟାଇଲ: ଟାଇଟ୍ ପୋନିଟେଲ କିମ୍ବା ବନ୍ ଭଳି ହେୟାରଷ୍ଟାଇଲ କରିବାରୁ ବଞ୍ଚନ୍ତୁ । କାରଣ ଏହାଦ୍ବାରା କେଶ ଉପରେ ଚାପ ପଡିଥାଏ ଏବଂ ସମୟ ସହିତ ଏହା ଝଡିବା ଆରମ୍ଭ କରେ ।
ପୋଷଣକୁ ଅବହେଳା:
ସୁସ୍ଥ କେଶ ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଜରୁରୀ । କେଶ ଝଡିବା ସମସ୍ୟା ଥିଲେ ଆଇରନ, ଭିଟାମିନ ଡି, ବାୟୋଟିନ ଓ ଆଣ୍ଟିଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ କରନ୍ତୁ । ଏସବୁ ପୋଷଣ ଅଭାବ କେଶକୁ ଦୁର୍ବଳ କରିଥାଏ । ସେହିପରି ମାନସିକ ଚାପ ଯୋଗୁଁ ମଧ୍ୟ କେଶ ଝଡିଥାଏ । ଚାପ କମାଇବାକୁ ନିୟମିତ ମେଡିଟେସନ କରିବା ଭଲ ।