ପରଲୋକରେ ବିଶିଷ୍ଟ ରାଜନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣା । ଆଜି ସକାଳେ ତାଙ୍କ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାତି ପ୍ରାୟ ୨ଟା ୪୫ ମିନିଟରେ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ତାଙ୍କ ପ୍ରଶଂସକଙ୍କ ପାଇଁ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ବାର୍ଧ୍ୟକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ। ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବା ସହ ମହାରାଷ୍ଟ୍ରର ରାଜ୍ୟପାଳ ଓ ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ। ଏସ୍.ଏମ୍ କ୍ରିଷ୍ଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।
୧୯୩୨ମେ’ ପହିଲାରେ ଜନ୍ମଗ୍ରହଣ କରିଥିବା କ୍ରିଷ୍ଣା ଉଭୟ ଦକ୍ଷିଣ-ଭାରତୀୟ ଓ ଜାତୀୟ ରାଜନୀତିରେ ଲମ୍ବା ଇନିଂସି ଖେଳିଥିଲେ। ୧୯୬୨ମସିହାରେ କ୍ରିଷ୍ଣା ନିଜର ନିର୍ବାଚନୀ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ମଦଦୁର ବିଧାନସଭା ଆସନରୁ ଜିତି ଭାରତୀୟ ଜାତୀୟ କଂଗ୍ରେସର ବିଶିଷ୍ଟ ରାଜନେତା କେ.ଭି ଶଙ୍କର ଗୌଡାଙ୍କୁ ପରାସ୍ତ କରିଥିଲେ। କେ.ଭି ଶଙ୍କର ଗୌଡାଙ୍କ ପାଇଁ ନିଜେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପ୍ରଚାର କରିଥିଲେ ସୁଦ୍ଧା ସେ ନବାଗତ କ୍ରିଷ୍ଣାଙ୍କଠାରୁ ପରାଜିତ ହେବା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଡିସେମ୍ବର ୧୯୮୯ରୁ ଜାନୁୟାରୀ ୧୯୯୩ ପର୍ଯ୍ୟନ୍ତ କ୍ରିଷ୍ଣା କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୧ ରୁ ୨୦୧୪ ମଧ୍ୟରେ ଅନେକ ଥର ଲୋକସଭା ଓ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। କ୍ରିଷ୍ଣା ଉଭୟ କର୍ଣ୍ଣାଟକ ବିଧାନସଭା ଏବଂ ପରିଷଦର ସଦସ୍ୟ ଥିଲେ। ୧୯୯୩ ରୁ ୧୯୯୪ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।
କେବଳ ଏତିକି ନୁହେଁ ଏକାଦଶ ବିଧାନସଭାରେ କଂଗ୍ରେସ ସରକାର ଗଢିଥିବା ବେଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏସ୍ଏମ୍ କ୍ରିଷ୍ଣା । ୧୧ ଅକ୍ଟୋବର ୧୯୯୯ରୁ ୨୮ ମେ’ ୨୦୦୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ଏସ୍ଏମ୍ କ୍ରିଷ୍ଣା । ସେତେବେଳେ ୪ ବର୍ଷ ୨୩୦ ଦିନ ମୁଖ୍ୟମନ୍ତ୍ରୀ ରହିବା ସହ କର୍ଣ୍ଣାଟକକୁ ସ୍ଥିର ସରକାର ଦେଇଥିଲେ।।