ଇଣ୍ଡିମେଣ୍ଟର ଦାୟିତ୍ବ ନେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ଏହି ବୟାନ ପରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଟିଏମସି ସୁପ୍ରିମୋଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି । ସମାଜବାଦୀ ପାର୍ଟି କହିଛି, ଯଦି ମମତା ଇଣ୍ଡିଆ ମେଣ୍ଟର ନେତୃତ୍ୱ ନିଅନ୍ତି, ତେବେ ଏସପିର ଏଥିରେ କୌଣସି ଅସୁବିଧା ନାହିଁ । ଯଦି ସମସ୍ତ ଦଳଙ୍କ ସହମତି ହୁଏ ତେବେ ସମାଜବାଦୀ ପାର୍ଟିର କୌଣସି ଆପତ୍ତି ରହିବ ନାହିଁ ଏବଂ ଦଳ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିବ । ଅନ୍ୟପଟେ ଏନସି ନେତା ଫାରୁକ ଅବଦୁଲ୍ଲା ଏ ସମ୍ପର୍କରେ କିଛି ଜାଣି ନଥିବା କି ଶୁଣି ନଥିବା କହିଛନ୍ତି । ଅନ୍ୟପକ୍ଷରେ ଆରଜେଡି ମମତାଙ୍କୁ ବିରୋଧ କରି ନଥିଲେ ବି ଯାହା କହିଛି, ଏଥିରୁ ଅସନ୍ତୋଷ ବାରି ହୋଇ ପଡୁଛି । ଦଳ ପକ୍ଷରୁ କୁହାଯାଇଛି, ଇଣ୍ଡି ମେଣ୍ଟର ପ୍ରକୃତ ପ୍ରତିଷ୍ଠାତା ହେଉଛନ୍ତି ଲାଲୁ ଯାଦବ । ଲାଲୁଙ୍କ ଉଦ୍ୟମରେ ପାଟନାରେ ଇଣ୍ଡି ଆଲାଇନ୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମମତା ମଧ୍ୟ ଭାଗ ନେଇଥିଲେ । ମମତା ଇଣ୍ଡି ମେଣ୍ଟର ପ୍ରମୁଖ ଅଂଶୀଦାର ହୁଅନ୍ତୁ । ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ନେତୃତ୍ଵ ନେବାକୁ ଇଚ୍ଛୁକ ଥିବା ନେଇ ପ୍ରତିକ୍ରିୟା ପରେ ଉଷ୍ଣ ହେବାରେ ଲାଗିଛି ରାଜନୀତି । ମେଣ୍ଟର କିଏ ମମତାଙ୍କୁ ସମର୍ଥନ ଜଣାଇଛି ତ ଆଉ କିଏ ବିରୋଧ ନକରିଥିଲେ ବି ବାଆଁରେଇ ବୟାନ ଦେଇଛି । ଏମିତି ଲାଗୁଛି, ମମତାଙ୍କ ମନ୍ତବ୍ୟ ପରେ ଇଣ୍ଡି ମେଣ୍ଟ ଯେମିତି ଫଳ ହେବାକୁ ବସିଛି । ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମମତା । କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ସେ ଏହାର ନେତୃତ୍ଵ ସମ୍ଭାଳିବେ ।
କୁହାଯାଉଛି, ଟିଏମସି ସୁପ୍ରିମୋ ପୂରା ବିରୋଧୀ ଦଳକୁ ନିୟନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସାକ୍ଷାତକାରରେ ମମତା କହିଛନ୍ତି, ମୁଁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲି । ବର୍ତ୍ତମାନ ଏହାକୁ ପରିଚାଳନା କରିବାକୁ ଯେଉଁମାନେ ଆଗେଇ ଆସୁଛନ୍ତି ସେମାନଙ୍କ ଉପରେ ସବୁ ନିର୍ଭର କରୁଛି । ଯଦି ସୁଯୋଗ ଦିଆଯାଏ ତେବେ ମୁଁ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଅଛି । ପଶ୍ଚିମବଙ୍ଗ ବାହାରକୁ ଯିବାକୁ ଚାହୁଁ ନାହିଁ । କିନ୍ତୁ ମେଣ୍ଟକୁ ଏଠାରୁ ଚଳାଇ ପାରିବି ବୋଲି କହିଛନ୍ତି ମମତା ।