ପୁଣି ବଲିଓଡ ସୁପରଷ୍ଟାର ସଲମାନଖାନଙ୍କୁ ହତ୍ୟା ଧମକ। ଖବର ମୁତାବକ ଜଣେ ବ୍ୟକ୍ତି ବେଆଇନ ଭାବେ ସଲମାନଙ୍କ ସୁଟିଂ ସାଇଟରେ ପ୍ରବେଶ କରିଥିଲେ। ସନ୍ଦେହ ହେବାରୁ ସେ ବ୍ୟକ୍ତିଙ୍କୁ ଯେତେବେଳେ ପଚରାଯାଇଥିଲା, ସେତେବେଳେ ସେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ନାଁ ନେଇଥିଲା। ବ୍ୟକ୍ତି ଜଣକ କହିଥିଲେ, ମୁଁ ବିଷ୍ଣୋଇଙ୍କୁ କହିବି କି ? ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଶିବାଜୀ ପାର୍କ ପୋଲିସ ଷ୍ଟେସନକୁ ନିଆଯାଇଛି ।
ସୂଚନାନୁସାରେ, ଏହି ଘଟଣା ମୁମ୍ବାଇର ଜୋନ୍- ୫ରେ ଘଟିଥିଲା। ପୋଲିସ ତାଙ୍କୁ ପଚରାଉଚରା କରୁଛି। କଥା ହେଉଛି ଏହି ବ୍ୟକ୍ତି ପ୍ରବେଶ କରିବା ସମୟରେ ସଲମାନ ଖାନ ସୁଟିଂ ସେଟରେ ଥିଲେ। ଯେତେବେଳେ ସେ ଲରେନ୍ସ ବିଷ୍ଣୋଇର ନାଁ ନେଇଥିଲା ସେତେବେଳେ କିଛି କ୍ରୁ ମେମ୍ବର ତାଙ୍କୁ ଦେଖିଥିଲେ।
ମୁମ୍ବାଇ ପୋଲିସର ସୂଚନାନୁସାରେ, ଦାଦର ୱେଷ୍ଟରେ ସଲମାନ ଖାନଙ୍କ ସୁଟିଂ ଚାଲିଥିଲା। ସଲମାନଙ୍କ ଜଣେ ପ୍ରଶଂସକ ସୁଟିଂ ଦେଖିବାକୁ ଚାହୁଁଥିଲେ। କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡ଼ି ନଥିଲେ। ଯାହାଫଳରେ ସୁରକ୍ଷାକର୍ମୀ ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ କିଛି ସମୟ ପାଇଁ ଠେଲାପେଲା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ରାଗିଯାଇ ସେହି ବ୍ୟକ୍ତି ଲରେନ୍ସ ବିଷ୍ଣୋଇର ନାଁ ନେଇଥିଲା। ଯାହାପରେ ସୁରକ୍ଷାକର୍ମୀ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ପୋଲିସ୍ ସୂଚନା ଅନୁସାରେ ସେହି ଜଣଙ୍କ ହେଉଛନ୍ତି ମୁମ୍ବାଇର ବାସିନ୍ଦା। ଏବେ ପୋଲିସ ତାକୁ ଅଟକ ରଖି ପଚାରଉଚରା କରୁଛି।