ହଠାତ ନିଷ୍ପତ୍ତି ସବୁ ଦୃଷ୍ଟିରୁ ହାନିକାରକ ।ଆମେମାନେ ବେଳେବେଳେ କିଛି ନଭାବି ଚିନ୍ତି ହଠାତ ନିଷ୍ପତି ନେଇଯାଉ। ଏହି ସମାନ ଜିନିଷ ମଧ୍ୟ ଆମେ ଅନଲାଇନ ସପିଂରେ କରୁ। ଅନଲାଇନ ସପିଂ କରିବା କାହାକୁ ବା ପସନ୍ଦ ନୁହେଁ। କିନ୍ତୁ ଅନଲାଇନ ସପିଂ ଫଳରେ ସାମାନ୍ୟ ଅସାବଧାନତା ଆମ ବ୍ୟାଙ୍କରୁ ଟଙ୍କା ଗାଏବ କରିନିଏ । କାରଣ ଆଜି ଆମେ ଡିଜିଟାଲ ଯୁଗରେ ପହଂଞ୍ଚିଲେଣି। ଆଉ ଏବେ ଆଙ୍ଗୁଠି ଟିପରେ ସବୁକିଛି ସମ୍ଭବ ହେଉଛି। ତେଣୁ ଠକେଇ ହେବାର ଆଶଙ୍କା ସର୍ବଦା ରହିଥାଏ । ଏଭଳି ପରିସ୍ଥିତିରେ କେଉଁ ସତର୍କତା ଅବଲମ୍ବନ ଦ୍ବାରା ଆପଣ ଠକେଇରୁ ବଂଚିପାରିବେ ଆସନ୍ତୁ ଜାଣିବା।
ପ୍ରଥମେ ତ ଆପଣମାନେ ଅଫରଠାରୁ ଦୂରରେ ରୁହନ୍ତୁ। ପର୍ବ ପର୍ବାଣୀ ସହ ଅନେକ ଉତ୍ସବରେ ବିଭିନ୍ନ ସପିଂ ପ୍ଲାଟଫର୍ମ ଅଫର ଆଣନ୍ତି । ଏଥିପାଇଁ ଆପଣଙ୍କ ଇମେଲ ଏବଂ ମୋବାଇଲକୁ ମେସେଜ ଆସେ । ମୋବାଇଲକୁ ଅନେକ ଥର ବିଭିନ୍ନ ସ୍ପେଶାଲ ଡିସକାଉଣ୍ଟ ଇମେଲ୍ ଆସିବା ସହ ମେସଜ ମଧ୍ୟ ଆସେ। ମେସେଜରେ କୁହାଯାଏ ଯେ ଏହି ଅଫର କେବଳ 2ଘଣ୍ଟା ପାଇଁ ଉପଲବ୍ଧ ଏବଂ ‘ଆଇଟମ୍ ସୀମିତ’ । ଲୋକମାନେ ଏହା ଏକ ଭଲ ସୁଯୋଗ ଭାବି ଜିନିଷଟିକୁ କିଣିବାକୁ ଚାହାନ୍ତି । ସେଥିରେ ଲେଖାଥାଏ ଲିଙ୍କ୍ ଖୋଲି କ୍ରେଡିଟ୍ କାର୍ଡର ବିବରଣୀ ଦିଅନ୍ତୁ । ଲିଙ୍କ ଖୋଲି ବ୍ୟାଙ୍କ ଡିଟେଲ୍ସ ଦେଲାମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ। ଏବଂ ଠିକ ସେହି ସମୟରେ ଲୋକେ ଅନୁଭବ କରନ୍ତି ଯେ ସେ ଠକେଇର ଶିକାର ହୋଇଛନ୍ତି ।
ତେବେ ଅନଲାଇନରେ ସପିଂ କରିବା ସହ ସୀମିତ ସମୟ ଅଫର ବିଷୟର ଇମେଲ୍ ଏବଂ ମେସେଜ ପ୍ରତି ବିଶେଷ ସାବଧାନ ରୁହନ୍ତୁ । କୌଣସି ପରିସ୍ଥିତିରେ ଇମେଲ୍ରେ ଲିଙ୍କ୍ ଖୋଲନ୍ତୁ ନାହିଁ । ଲିଙ୍କ ନଖୋଲି ସଂସ୍ଥାର ଅଫିସିଆଲ୍ ୱେବସାଇଟକୁ ଯାଇକି ଅଫର ବିଷୟରେ ଚେକ୍ କରନ୍ତୁ। ବିଶେଷ କରି ସୀମିତ ସମୟର ଅଫର ମେସଜକୁ ଅଣଦେଖା କରନ୍ତୁ । ଫ୍ରଡ୍ ଇମେଲ୍ଗୁଡିକ କମ୍ପାନୀ ନାମ ନେଇ ଏପରି ଠକେଇ କରନ୍ତି। ଅଫରକୁ ଦୁଇଥର ଯାଞ୍ଚ କରିବା ପରେ ହିଁ ଜିନିଷ କିଣନ୍ତୁ। ଯଦି ଆପଣ ଜାଣିଛନ୍ତି ଯେ ଆପଣ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ବ୍ୟାଙ୍କ କିମ୍ବା ସାଇବର କ୍ରାଇମ ଷ୍ଟେସନରେ ଅଭିଯୋଗ ଦାଖଲ କରନ୍ତୁ।