26 / 11 କହିଲେ ଆପେ ଆପେ ଆଖି ଆଗକୁ ଚାଲିଆସେ ମୁମ୍ବାଇ ଆକ୍ରମଣର ଛବି । ଆତଙ୍କୀ ଆକ୍ରମଣର ଏକ ଏମିତି ଦିନ, ଯାହାକୁ କେବେ ଭୁଲି ପାରିବନି ଭାରତ । ପୁରା ସହରରେ ଆତଙ୍କର ଭୟ ଖେଳିଯାଇଥିଲା । ଆଉ ଶହ ଶହ ଲୋକଙ୍କ ମୃତଦେହ ଦେଖି ଥରି ଉଠିଥିଲା ମୁମ୍ବାଇ ସହର । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ସୈତାନଙ୍କ ଆତଙ୍କରାଜ । ଯେବେବି ନଭେମ୍ବର 26 ଆସିବ ସେହି ଦିନକୁ ମନେ ପକାଇବେ ପ୍ରତ୍ୟେକ ଭାରତୀୟ । ମୁମ୍ବାଇର ପ୍ରସିଦ୍ଧ ତାଜ ହୋଟେଲରୁ ବାହାରୁଥିବା ଧୂଆଁ ହିଁ ବୟାନ କରିଥିଲା ସେଦିନର ଆକ୍ରମଣ କେତେ ଯେ ଭୟଙ୍କର ଥିଲା । ପ୍ରତିଦିନ ଭଳି ମୁମ୍ବାଇ ସହରର ତାଜ ହୋଟେଲ ଚଳଚଞ୍ଚଳ ରହିଥିଲା । ମୁମ୍ବାଇର ଗଳି କନ୍ଦି ଓ ମୁମ୍ବାଇ ବାସିନ୍ଦା ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ନିଜ କର୍ମରେ ବ୍ୟସ୍ତ ରହିଥିବା ବେଳେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖି ବୁଜା ଗୁଳିମାଡ କରିଥିଲେ ୨ ଆତଙ୍କବାଦୀ । ଆଉ ସବୁଦିନ ପାଇଁ ଶେଷ ହୋଇଯାଇଥିଲା ୫୮ ନୀରିହ ଲୋକଙ୍କ ଜୀବନ । ଆତଙ୍କବାଦୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣକୁ ଭୟଙ୍କର କରିଦେଇଥିଲେ । ଷ୍ଟେସନରେ ନାରକୀୟ କାଣ୍ଡ ପରେ ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଦକ୍ଷିଣ ମୁମ୍ବାଇରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ । ରାତି ଯେତେ ବଢୁଥିଲା ମୃତ୍ୟୁର ସେତେ ଅଧିକ ଖବର ସାମ୍ନାକୁ ଆସିବାରେ ଲାଗିଥିଲା । ଅଧା ରାତି ହେଲା ବେଳକୁ ତାଜ ହୋଟେଲକୁ ପୁରାପୁରି କବଜାକୁ ନେଇ ଯାଇଥିଲେ ଆତଙ୍କବାଦୀ । ଯେଉଁଠି ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ ଆତଙ୍କବାଦୀ । ବନ୍ଧକ ଥିବା ଲୋକମାନଙ୍କ ଭିତରେ ୭ ବିଦେଶୀ ନାଗରିକ ମଧ୍ୟ ରହିଥିଲେ । ୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ ଆତଙ୍କୀ । ଇଏ ଥିଲା ସେହି ନିଆଁ ଯାହାକୁ ଦେଖିଥିଲା ସାରା ବିଶ୍ୱ । ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଥିବା ଖବର ପାଇ ଏନଏସଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଶେଷରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ କସାବ । ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଭାରତର ସୁପ୍ରିମକୋର୍ଟ । ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ତିଆରି କରିଥିଲା ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା । ଯାହାକୁ ସଫଳ କରିବାକୁ ୧୦ ଖୁନଖାର ଆତଙ୍କବାଦୀଙ୍କୁ ଜଳପଥରେ ଭାରତ ପଠାଇଥିଲା ଏହି ସଙ୍ଗଠନ । ଏହା ପୂର୍ବରୁ ଜଳପଥରେ ଆତଙ୍କୀଙ୍କ ଏଭଳି ଆକ୍ରମଣକୁ କେବେ ବି ଦେଖିନଥିଲା ଭାରତ । ଆଉ ୨୬-୧୧ ଘଟଣା ଚିରଦିନ ପାଇଁ ଭାରତ ଇତିହାସରେ ଲେଖାହୋଇ ରହିଗଲା । ଆଜି ବି ଆତଙ୍କି ଆକ୍ରମଣ କଥା ଉଠିଲେ ଭାରତ ଟିକେ ସମୟ ପାଇଁ ସ୍ତବ୍ଧ ହୋଇଯାଏ ।