ଚାଷୀଙ୍କ ଆର୍ଥିକ ବୋଝକୁ ହାଲୁକା କରିବା ପାଇଁ ସରକାର ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ଚାଷୀଙ୍କୁ ଉଚିତ୍ ପାରିଶ୍ରମିକ ଦେବାପାଇଁ ନୂଆ ନୂଆ ଯୋଜନା ପ୍ରଣୟନ ମଧ୍ୟ କରାଯାଉଛି । ତେବେ ବର୍ତ୍ତମାନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋହନ ସରକାର । ହେଲେ କେତେ ଟଙ୍କା ପଠାଇବେ? କାହିଁକି ପଠାଇବେ ଓ କେଉଁମାନେ ପାଇବେ ? ବାସ୍ତବରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଦେଇଛନ୍ତି ବଡ଼ ଭେଟି । ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର । ଡିସେମ୍ବର ୮ ତାରିଖରୁ ଚାଷୀଙ୍କୁ ମିଳିବ ଇନପୁଟ୍ ସବସିଡି । ବରଗଡ ସୋହେଲାରେ ଆୟୋଜିତ ଚାଷୀ ସମାବେଶରେ ଏହି ସବସିଡି ଟଙ୍କା ଦିଆଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇ କହିଛନ୍ତି, ୨୦ ତାରିଖରୁ ବରଗଡ ଜିଲାରୁ ଧାନ କିଣା ଆରମ୍ଭ ହେବ । ରାଜ୍ୟ ସରକାର ଦେବାକୁ ଥିବା ୮ ଶହ ଟଙ୍କା ୮ ତାରିଖରୁ ଦେବା ଆରମ୍ଭ ହେବ । ୨୦ ତାରିଖରୁ ଯେଉଁମାନେ ଧାନ ଦେଇଥିବେ, ୮ ରେ ସବ୍ସିଡି ଟଙ୍କା ପାଇବେ । କେନ୍ଦ୍ରର ୨୩ ଶହ ଟଙ୍କା ଗୋଟିଏ ଆକାଉଣ୍ଟରୁ, ରାଜ୍ୟ ଟଙ୍କା ଅନ୍ୟ ଆକାଉଣ୍ଟରୁ ଯିବ । ୮ ତାରିଖ ପରେ ଚାଷୀମାନେ ସବ୍ସିଡି ଟଙ୍କା ୪୮ ଘଣ୍ଟା ମଧ୍ୟରେ ପାଇଯିବେ । ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକନ ଅବଧି ମାସେ ରହିବ । ଏନେଇ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି, ତେବେ ଏହାର ଆଉ ୭ ଦିନ ବଢାଇ ପାରିବେ । ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।