ଖାଦ୍ୟ ଅଭାବ ନା ପାରମ୍ପରିକ ଖାଦ୍ୟ, ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚାଲିଛି ବାକ୍ ଯୁଦ୍ଧ । ଆଦିବାସୀଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଏତେ ଉଦାସୀନ କାହିଁକି ? ନା ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବୁଛନ୍ତି ବିଜେପି ସରକାର । ଦାୟିତ୍ଵ ନେବା ବେଳକୁ କିଛି ନାହିଁ । ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଜାଉ ଖାଇ ତିନି ତିନି ଜଣଙ୍କ ଜୀବନ ଗଲା, ହେଲେ ସେହି ଗାଁରେ ଏଯାଏଁ କୌଣସି ମନ୍ତ୍ରୀଙ୍କ ପାଦ ପଡ଼ି ନାହିଁ । ସେମାନଙ୍କ ସୁଖଦୁଃଖ ବୁଝିବାକୁ କେହି ଗଲେ ନାହିଁ । ବରଂ ଆମ୍ଵ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ଓଲଟା ସେମାନଙ୍କର ଦାରିଦ୍ର୍ୟକୁ ଉପହାସ କଲେ । ରାଜ୍ୟ ସରକାରଙ୍କ ମୁଖିଆ ଜଣେ ଆଦିବାସୀ ହୋଇ ଆଦିବାସୀଙ୍କ ପ୍ରତି ଏତେ ଅବହେଳା କ’ଣ ପାଇଁ ? ବୋଧହୁଏ ମାଣ୍ଡିପଙ୍କା ଗାଁର ଲୋକଙ୍କୁ ସାମ୍ନା କରିବାକୁ ସରକାରଙ୍କ ସାହସ ନାହିଁ । ଏପରି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଆମ୍ଵ ଟାକୁଆ ଜାଉ ଖାଇ ୩ ଜଣଙ୍କ ଜୀବନ ଗଲା ପରେ ମୃତକଙ୍କ ଗାଁ ମାଣ୍ଡିପଙ୍କାକୁ ଯିବା ପାଇଁ ବର୍ତ୍ତମାନ ସରକାରଙ୍କ କୌଣସି ପ୍ଲାନ ନାହିଁ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବୋଧହୁଏ ଏତେ ବଡ଼ ଲଜ୍ଜା ପରେ ବି ରାଜ୍ୟ ସରକାରଙ୍କ ଚେତା ପଶିନି । ମାଣ୍ଡିପଙ୍କାର ଅଧିକାଂଶ ଲୋକ ଆଦିବାସୀ । ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଖାଇବାକୁ ମିଳୁନି । ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଇବାରୁ ଜୀବନ ଗଲା । କିନ୍ତୁ ମାଣ୍ଡିପଙ୍କା ଯାଇ ସେଠାକାର ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ରାଜ୍ୟ ସରକାରଙ୍କ ପାଖରେ ସମୟ ନାହିଁ । ସଂରକ୍ଷିତ ଆଦିବାସୀ ଅଞ୍ଚଳର ବିକାଶ ଦାୟିତ୍ଵ ରାଜ୍ୟପାଳଙ୍କର । ଛଟ ପୂଜା ପରେ ମାଣ୍ଡିପଙ୍କା ଯିବେ ବୋଲି କଂଗ୍ରେସ ପ୍ରତିନିଧିଙ୍କୁ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ଯାଇନାହାନ୍ତି । ବିରୋଧୀ ଅଭିଯୋଗ କରିଛନ୍ତି, ଆମ୍ଵ ଟାକୁଆ ଜାଉ ଖାଉଥିବା ମାଣ୍ଡିପଙ୍କାର ଲୋକଙ୍କୁ ଭେଟିବାକୁ ରାଜ୍ୟ ସରକାରଙ୍କର ସାହସ ନାହିଁ । ହେଲେ ଆଦିବାସୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବାକୁ ସାହସ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସେପଟେ ପ୍ରଥମ ଦୁଇ ମହିଳାଙ୍କ ମୃତ୍ୟୁକୁ ୧୮ ଦିନ ବିତିଯାଇଥିଲେ ସୁଦ୍ଧା ସେମାନଙ୍କ ପରିବାରକୁ ସରକାରୀ ସହାୟତା ମିଳି ପାରନି । ସେମାନେ ଚଳିବେ କିପରି ତାକୁ ନେଇ ପ୍ରଶ୍ନ ଉଠିଛି ।