SunstarTV
ରାସନ କାର୍ଡକୁ ନେଇ ବଡ ସୂଚନା । ଏଣିକି ରାଜ୍ୟରେ ଲାଗୁ ହେବ ନୂଆ ରାସନ କାର୍ଡ । ନୂଆବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ସେଥିପାଇଁ ନଭେମ୍ୱର ମାସ ସୁଦ୍ଧା ଇ- କେୱାଇସି ଯାଞ୍ଚ ସରିବ ବୋଲି ସୂଚନା ମିଳିଛି। ଏହା ଭିତରେ ଆବେଦନକାରୀଙ୍କ ମଧ୍ୟରୁ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ଇ-କେୱାଇସି ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ଆଉ କିଛି ଦିନ ପରେ ଏହା ଶେଷ ହେବ ଯାହାକି ନଭେମ୍ବର ସୁଦ୍ଧା ସରିବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ । ଇ-କେୱାଇସି ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ । ୨୦୨୫ ଜାନୁଆରୀରେ ସମସ୍ତଙ୍କୁ ନୂଆ ରାସନ କାର୍ଡ ମିଳିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ଅନେକ ଭୂତ ରାସନକାର୍ଡଧାରୀ ରହିଛନ୍ତି । ଯେଉଁମାନଙ୍କ ପାଖରେ ସରକାରଙ୍କ ଏହି ଯୋଜନା ପହଞ୍ଚିବା କଥା ତାଙ୍କ ପାଖରେ ନପହଞ୍ଚି ବାଟବଣା ହେଉଛି । ମୃତ୍ୟୁ ପରେ ବି ବହୁ ହିତାଧିକାରୀଙ୍କ ନାମରେ କାର୍ଡ ରହିଛି । ସେଗୁଡିକୁ କଡ଼ାକଡ଼ି ଭାବେ ଯାଞ୍ଚ କରି ଏବେ କାଟି ଦିଆଯାଉଛି । ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ପରେ ଖାଲି ପଡୁଥିବା ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯିବ ।