ବାତ୍ୟା ଦାନାର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ଓ ପନିପରିବା ଚାଷ ପାଣିରେ ବୁଡି ରହିଥିବା ବେଳେ ସେଗୁଡିକ ପଚି ନଷ୍ଟ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକି ବର୍ଷକର ପରିଶ୍ରମକୁ ପାଣି ଭିତରେ ଦେଖି ଚାଷୀକୂଳ ଭାଙ୍ଗି ପଡିଛନ୍ତି।
ବାତ୍ୟା ଦାନାର ପ୍ରଭାବ ଯାଜପୁରରେ ବିଶେଷ ପଡି ନଥିବା ବେଳେ ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁ ଜ଼ିଲ୍ଲାରେ ଶହ ଶହ ହେକ୍ଟର ଧାନ ଓ ପନିପରିବା ଚାଷ ପାଣିରେ ବୁଡି ରହିଛି। ଖାଲୁଆ ଜମିରେ ପାଣି ଛାଡୁ ନଥିବା ବେଳେ ଶୀତ ଦିନିଆ ପନିପରିବା ଫସଲ ଆରମ୍ଭରୁ ମାଟିରେ ମିଶି ଯାଇଛି। ଜ଼ିଲ୍ଲାରେ ସରକାରୀ ତଥ୍ୟ ଅନୁସାରେ ୧୭ ହଜାର ୬୬୬ ହେକଟର ଚାଷ ଜମି ବର୍ଷା ଦ୍ୱାରା କ୍ଷତି ଗ୍ରସ୍ତ ହୋଇଛି। ଏଥି ମଧ୍ୟରୁ ଯାଜପୁର ବ୍ଲକ ନାଥସାହି ପଂଚାୟତରେ ଏକର ଏକର ଧାନ ଓ ପରିବା ଆଣ୍ଠୁଏ ପାଣିରେ ବୁଡି ଯାଇଛି। ଧାନ ଫସଲ ଅମଳ ଯୁକ୍ତ ହୋଇଥିବା ବେଳେ କେଣ୍ଡା ପାଣିରେ ବୁଡି ପଚି ଯିବାକୁ ବସିଛି। ଯାହାକି ଯୋଉ ଦେଢ଼ ମାସ ପରେ ଅମଳ ଧାନକୁ ଦେଖି ଚାଷୀ ଖୁସି ହେବା କଥା ସେ ଆଜି ଉଜୁଡା ଧାନକୁ ଦେଖି ଭାଙ୍ଗି ପଡିଛନ୍ତି।
ଖାଲି ଧାନ ନୁହଁ ଯାଜପୁର ଅଧିକାଂଶ ଅଂଚଳ ନଦୀ ଘେରା ହୋଇଥିବା ବେଳେ ବାଲିଆ ମାଟିରେ ଭଲ ଶୀତ ଦିନିଆ ପନିପରିବା ଚାଷ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁ ଚାରା ଗଛ ଉପରେ ବାଲି ଚଢି ଯାଇଥିବା ବେଳେ ଗଛ ମାଟିରେ ପୋତି ହୋଇଯାଇଛି। ଯାହାକି ଆଉ ଚାଷ ଉପଯୋଗୀ ନଥିବା ବେଳେ ପରିବା ଚାଷୀ ଧାର ଉଧାଁର କରି ଚାଷ ପାଇଁ ଖଟୁ ଥିବା ବେଳେ ଏବେ ଋଣ ପରିଶୋଧ ଚିନ୍ତାରେ ପଡିଛନ୍ତି। ଏହି ଚାଷ ମୁଖ୍ୟ ବେଉସା ହୋଇଥିବା ବେଳେ ଉଜୁଡା ଫସଲ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରଶାସନିକ ସହାୟତା ମିଳିଲେ ଚାଷୀ କିଛି ମାତ୍ରାରେ ଉପକୃତ ହେବେ ବୋଲି କହିଛନ୍ତି।