SunStarTV
ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଥିବା ନେଇ ସୂଚନା ମିଳିଛି ।
ଏହାସହ ଆନନ୍ଦ ବଜାରରେ ଥିବା ଅସ୍ଥାୟୀ ଟିଣ ବାହାର କରିଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ସିଂହଦ୍ୱାର ସମ୍ମୁଖ LED ସ୍କ୍ରିନ ଅପସାରଣ କରାଯାଇଛି। ସିଂହଦ୍ବାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ ମଧ୍ୟ କଢ଼ାଯାଇଛି। ଏଥିସହ ସିସିଟିଭି ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ପୂର୍ବରୁ ମଧ୍ୟ ଅନ୍ୟାନ ସ୍ଥାନରେ ଥିବା ଅସ୍ଥାୟୀ ତୋରଣ ହଟେଇବାକୁ ନିର୍ଦେଶ ଦିଆ ଯାଇଥିଲା ।
ସେପଟେ ହବିଷ୍ୟାଳି କେନ୍ଦ୍ରରେ ବି ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି କରାଯାଇଛି । ହବିଷ୍ୟାଳି କେନ୍ଦ୍ରରେ ଯଦି ବିଦ୍ୟୁତ ସେବା ବିଚ୍ଛିନ୍ନ ହୁଏ, ତେବେ ଡିଜି ସେଟ୍ ରଖାଯାଇଛି। ଆବଶ୍ୟକ ଅନୁଯାୟୀ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ।
ସେପଟେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ‘ଦାନା’। ଯାହାର ପ୍ରଭାବରେ ଉପକୂଳ ଓଡ଼ିଶାର ସମେତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଲାଗିରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ସିଧାସଳଖ ପ୍ରଭାବ ଅନୁଭୂତ ହେଉଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକର ପାଗରେ ମଧ୍ୟ ପରିବର୍ତ୍ତନ ଆସିଛି।
ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଭୀଷଣ ବାତ୍ୟା ରୂପରେ ୨୪ ତାରିଖ ମଧ୍ୟରାତ୍ରି ଓ ୨୫ ତାରିଖ ଭୋର ସୁଦ୍ଧା ଉପକୂଳ ଛୁଇଁବ। ବର୍ଷା ଓ ପବନର ପ୍ରଭାବ ୧୦ ଜିଲ୍ଲା ଉପରେ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ। ୨୪ ତାରିଖ ମଧ୍ୟରାତ୍ରିରୁ ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ। ‘ଦାନା’ ଯେତେବେଳେ ସ୍ଥଳ ଭାଗ ଛୁଇଁବ ସେତେବେଳେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ ।
ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, ପୁରୀ, ଭୁବନେଶ୍ୱର ରେ ମଧ୍ୟ ବର୍ଷା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି।