ନିର୍ବାଚନୀ ମଇଦାନକୁ ଓହ୍ଲାଇ ଆଲୋଚନାରେ ରହିଛନ୍ତି ରଜନେତ୍ରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନିର୍ବାଚନୀ ପ୍ରଚାର ହେଉ ଅବା ରାଜନୈତିକ ବୈଠକ ଅନେକ ସମୟରେ ରାହୁଲ ଓ ପ୍ରୀୟଙ୍କା ଙ୍କୁ ଏକାଠି ଦେଖିବାକୁ ମିଳେ । ତେବେ ବର୍ତ୍ତମାନ ସମୟରେ ସୋଇପଡିଥିବା କଂଗ୍ରେସ ପୁଣି ଜାଗ୍ରତ ହୋଇଥିବା ବେଳେ ଏବେ ମଇଦାନରେ ଦେଖିବାକୁ ମିଳିବ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଙ୍କ ଲଢେଇ । ପ୍ରଥମ ଥର ପାଇଁ ନିର୍ବଚନୀ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା। ସେ କେରଳର ୱାୟନାଡରୁ ଭାଇ ରାହୁଲ ଗାନ୍ଧୀଙ୍କ ଆସନରେ ଲଢ଼ିବେ। ନଭେମ୍ବର ୧୩ ତାରିଖରେ ୱାୟନାଡ ଆସନରେ ହେବ ଉପନିର୍ବାଚନ। ପ୍ରିୟଙ୍କା ଗାନ୍ଧୀ ଏବେ କଂଗ୍ରେସର ମହା ସଚିବ ଅଛନ୍ତି। ଗାନ୍ଧୀ ପରିବାରର ସଦସ୍ୟ ହୋଇଥିଲେ ମଧ୍ୟ କଂଗ୍ରେସରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲେ ମଧ୍ୟ ରାଜନୀତିରେ ଦୀର୍ଘଦିନ ଧରି ସକ୍ରିୟ ଅଛନ୍ତି। ପ୍ରିୟଙ୍କା ଗାନ୍ଧୀ ଅନେକ ସମୟ ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ ମଧ୍ୟ ନିଜେ ନ ଲଢ଼ି ମା’ ସୋନିଆ ଗାନ୍ଧୀ ଓ ଭାଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ପ୍ରଚାରରେ ସହଯୋଗ କରିଥିଲେ। ୨୦୦୪ ସାଧାରଣ ନିର୍ବାଚନରେ ସେ ପ୍ରଥମ ଥର କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ସମୟରେ ସେ ଏକାଧିକ ସଭାର ଆୟୋଜନ କରିଥିଲେ। ସେତେବେଳେ ସେ ଉତ୍ତରପ୍ରଦେଶ ବାହାରେ ବି ଦଳର ପ୍ରଚାର କରିଥିଲେ। ଏହିଠାରୁ ହିଁ ସେ ରାଜନୀତିରେ ଗୋଟି ଚାଳନା ଶିଖିବା ଆରମ୍ଭ କଲେ। ୨୦୧୭ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମେଣ୍ଟ ଗଠନ ତଥା ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟାରେ ପ୍ରିୟଙ୍କା ଗାନ୍ଧୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ୨୦୧୯ ଜାନୁଆରି ୨୩ ତାରିଖରେ ପ୍ରିୟଙ୍କାଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଗଲା। ସେବେଠାରୁ ହିଁ ଆରମ୍ଭ ହୋଇଥିଲା ପ୍ରିୟଙ୍କାଙ୍କ ଆକ୍ଟିଭ ପଲିଟିକ୍ସ। ପରେ ୨୦୨୦ ସେପ୍ଟେମ୍ବର ୧୧ରେ ତାଙ୍କୁ ପୂରା ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଗଲା।
ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିଥିଲା। ଏହି ସମୟରେ ପ୍ରିୟଙ୍କା ଆଗରେ ରହି ଦଳକୁ ପରିଚାଳନା କରିବା ସହ ପ୍ରଚାରେ ଅଭିଯାନ ଚଳାଇଥିଲେ। ପ୍ରିୟଙ୍କା ଗାନ୍ଧୀ ଦିନେ କଂଗ୍ରେସର ନେତୃତ୍ୱ ସମ୍ବାଳିବେ ବୋଲି ଦଳର ବରିଷ୍ଠ ନେତାମାନେ ଆଶା ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଝିଅ ହେଉଛନ୍ତି ପ୍ରିୟଙ୍କା। ୧୯୭୨ ମସିହା ଜାନୁଆରି ୧୨ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ନୂଆଦିଲ୍ଲୀ ସ୍ଥିତ ମଡର୍ଣ୍ଣ ସ୍କୁଲ ଏବଂ କନଭେଣ୍ଟ ଅଫ ଜେସସ ଆଣ୍ଡ ମ୍ୟାରି ସ୍କୁଲରେ ସେ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଜେସସ ଆଣ୍ଡ ମ୍ୟାରି କଲେଜରେ ସାଇକୋଲୋଜିରେ ସ୍ନାତକ କରିଥିଲେ। ପ୍ରିୟଙ୍କ ଗାନ୍ଧୀ ଦିଲ୍ଲୀର ଜଣେ ପ୍ରତଷ୍ଠିତ ବ୍ୟବସାୟୀ ରୋବର୍ଟ ଭାଡ୍ରାଙ୍କୁ ବିବାହ କରିଥିଲେ। ପୂର୍ବରୁ ରୋବର୍ଟଙ୍କ ବିରୋଧରେ ଡିଏଲଏଫ ଜମି ଦୁର୍ନୀତି ଅଭିଯୋଗ ଆସିଥିଲା। ଏଥିପାଇଁ ତାଙ୍କୁ ସିବିଆଇ ପକ୍ଷରୁ ଜେରା ବି କରାଯାଇଥିଲା। ପ୍ରିୟଙ୍କା-ରୋବର୍ଟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି
ପ୍ରିୟଙ୍କା ବୌଦ୍ଧ ଦର୍ଶନର ଅନୁଗାମୀ ଅଟନ୍ତି। ବୌଦ୍ଧ ଗୁରୁ ଏସ.ଏନ ଗୋଏଙ୍କା ମାର୍ଗଦର୍ଶନରେ ସେ ବିପାସନା ଅଭ୍ୟାସ କରନ୍ତି। ବିପାସନା ଏମିତି ଏକ ଧ୍ୟାନରୂପ ଯାହାକୁ ଅଭ୍ୟାସ କରିବା ଦ୍ୱାରା ବ୍ୟକ୍ତିକୁ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।୨୦୨୪ ଲୋକସଭା ନିର୍ବାଚନରେ ୱାୟନାଡ ସହ ରାଏବରେଲି ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ି ଜିତିଥିଲେ। ତେବେ ସେ ନିଜ ପାରିବାରିକ ଆସନ ରାଏବରେଲିକୁ ନିଜ ପାଖରେ ରଖି ୱାୟନାଡରୁ ଇସ୍ତଫା ଦେଇଥିଲେ। ଏହି ଆସନରେ ପ୍ରିୟଙ୍କା ଲଢିବେ ବୋଲି ଜୁନ ମାସରୁ ଚର୍ଚ୍ଚା ଚାଲିଥିଲା ।