୧୬ ନମ୍ବର ଜାତୀୟ ରାଜପଥର ଛତିଆ ଠାରେ ବାଇକକୁ ଧକ୍କା ଦେଇ ହଠାତ୍ ଜଳିଗଲା ଯାତ୍ରୀବାହୀ ବସ୍. ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି |
ସୋମବାର ସକାଳେ ବାଲେଶ୍ଵରରୁ ମା ଶାରଳା ନାମକ ଘରୋଇ ଯାତ୍ରୀବାହୀ ବସଟି ଭୂବନେଶ୍ୱର ଯାଉଥିବା ବେଳେ କାକେରା ବଜାର ଠାରେ କଟକ ଅଭିମୁଖେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା | ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା | ମୃତକ କଟକ ପରମହଂସର ବଲରାମ ସାହୁ ଏବଂ ସେ ଭଦ୍ରକ ଧୁସୁରୀରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି | ମାତ୍ର ବସଟି ଦୁର୍ଘଟଣାଗ୍ରସ୍ତ ବାଇକକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବାରୁ ଅଗ୍ନିକାଣ୍ଡ ଘଟି ବସଟି ଜଳି ଯାଇଥିଲା | ଖବର ପାଇ ଅଗ୍ନିଶମ କର୍ମଚାରୀ, ବୈରୀ ଥାନା ଓ ଛତିଆ ବିଟ୍ ହାଉସପୋଲିସ ପହଞ୍ଚି ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ | ପ୍ରାୟ ୨ ଘଣ୍ଟା ପରେ ରାସ୍ତା ସ୍ବଭାବିକ ହୋଇଥିଲା |