Sunstar Tv
High Court On Dengue Matter: ହାଇକୋର୍ଟରେ ଡେଙ୍ଗୁ ମାମଲାର ଶୁଣାଣି । ଡେଙ୍ଗୁ ସଂକ୍ରମଣ ରୋକିବା ଉପରେ ସିଏମସି ସଠିକ ପଦକ୍ଷେପ ନେଉଛି କି ନାହିଁ ଓ ଏବେସୁଦ୍ଧା କେଉ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜବାବ ରଖିବାକୁ ସିଏମସିକୁ ନିର୍ଦ୍ଦେଶ । ଅଗଷ୍ଟ ୮ରେ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ।
ହାଇକୋର୍ଟରେ ପହଞ୍ଚିଲା ଡେଙ୍ଗୁ ମାମଲା । ଟ୍ୱିନ ସିଟି କଟକ ଭୁବନେଶ୍ୱରରେ ବର୍ଷା ଦିନ ଆରମ୍ଭ ହୋଇଗଲେ ଆରମ୍ଭ ହୋଇଯାଏ ଡେଙ୍ଗୁ ସମସ୍ୟା । ସହରର ଏହି ସମସ୍ୟାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ହାଇକୋର୍ଟ ।
ଡେଙ୍ଗୁ ସଂକ୍ରମଣ ରୋକିବା ଉପରେ ସିଏମସି ସଠିକ ପଦକ୍ଷେପ ନେଉଛି କି ନାହିଁ ଓ ଏବେସୁଦ୍ଧା କେଉ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଜବାବ ମାଗିଛନ୍ତି ହାଇକୋର୍ଟ ।
ହାଇକୋର୍ଟରେ ଡେଙ୍ଗୁ ମାମଲାର ଶୁଣାଣି…
ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁକ୍ରବାର ଦିନ ଡେଙ୍ଗୁ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି ।
ମାମଲାର ଶୁଣାଣି ସମୟରେ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ବିଜୟ କୁମାର ଦାଶ ସହରରେ ଡେଙ୍ଗୁ ବ୍ୟାପିବା ପ୍ରସଙ୍ଗକୁ ନେଇ ପ୍ରକାଶିତ ଖବରକାଗଜ ରିପୋର୍ଟ ଦାଖଲ କରିଥିଲେ ଓ ବୁସ୍ କଟିଂ(ବୁଦା କଟା ଯାଉନାହିଁ) କରାଯାଉ ନାହିଁ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ।
ସେହିପରି ବହୁ ସ୍ଥାନରେ ଅଳିଆ ଜମା ହୋଇ ରହିବା ସହିତ ପାଣି ବି ଜମିଛି । ଏଭଳି ସ୍ଥିତିରେ ସହରରେ ମଶା ସମସ୍ୟା ଦେଖାଦେଇଛି ।
ଯାହାକି ସହରରେ ଡେଙ୍ଗୁ ବ୍ୟାପିବା ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବା ଆଇନଜୀବୀ ଦର୍ଶାଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ, ଖବରକାଗଜ ରିପୋର୍ଟରେ ରହିଥିବା ତଥ୍ୟର ମୌଳିକତା ପ୍ରସଙ୍ଗରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଅଗଷ୍ଟ ୮ରେ ତଥ୍ୟ ଉପସ୍ଥାପନ ପାଇଁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ସହରର ଜଳବନ୍ଦୀ ସମସ୍ୟା ଲାଗି ରହୁଥିବା ୧୨୩ଟି ଅଞ୍ଚଳ ଚିହ୍ନଟ କରାଯାଇଛି ବୋଲି ସିଏମସି ସିଟି ଇଞ୍ଜିନିୟର ସତ୍ୟପାଠରେ ଉଲ୍ଲେଖ କରିଥିଲେ । ବର୍ଷା ସମୟରେ ୭୬ଟି ଅଞ୍ଚଳରେ ଦୁଇରୁ ତିନି ଘଣ୍ଟା ପାଣି ଜମି ରହୁଥିବା ବେଳେ ୪୭ଟି ଅଞ୍ଚଳରେ ୪ରୁ ୫ ଘଣ୍ଟା ଏପରି ସମସ୍ୟା ଲାଗି ରହୁଛି ।
ଚିହ୍ନଟ କରାଯାଇଥିବା ଏଭଳି ଅଞ୍ଚଳଗୁଡ଼ିକରୁ ବର୍ଷା ଜଳ ବକ୍ସ ଡ୍ରେନ୍, ମୁଖ୍ୟ ଡ୍ରେନ୍ ଓ ଖାଲି ସ୍ଥାନକୁ ନିଷ୍କାସନ ପାଇଁ ଆବଶ୍ୟକ ସଂଖ୍ୟକ ପମ୍ପ ବସାଯାଇଛି ।
ଆବଶ୍ୟକସ୍ଥଳେ ସିଏମସି ପାଣି ଜମି ରହିଥିବା ଅଞ୍ଚଳରୁ ନିଷ୍କାସନ ପାଇଁ ଏହାର ସେସ ପୁଲ ମେସିନ, ଫାୟାର ପମ୍ପ ବ୍ୟବହାର କରୁଛି ।
ବର୍ଷାଜଳ ନିଷ୍କାସନ ପାଇଁ ମଧ୍ୟ ଡ୍ରେନରୁ ପଙ୍କ ନିୟମିତ କଢା ଯାଉଛି । ୱାଟକୋ ଗୋଟିଏ ୧୮୦ ଏଚପି, ଦୁଇଟି ୧୦୦ଏଚପି, ପାଞ୍ଚଟି ୬୦ ଏଚପି ପମ୍ପ ଛତ୍ରବଜାର ଓ ଅନ୍ୟ ଅଞ୍ଚଳରେ ବସାଇଛି । ସେହିଭଳି ୱାଟକୋ ତରଫରୁ ମୌସୁମୀ ସମୟରେ ୫ଟି ୬୦ଏଚପି ପମ୍ପ ପ୍ରସ୍ତୁତ କରି ରଖାଯାଇଛି ।
ବର୍ଷାଜଳ ଜମି ରହୁଥିବା ଅଞ୍ଚଳରୁ ନୂଆ ଡ୍ରେନ୍ ନିର୍ମାଣ କରି ଜଳନିଷ୍କାସନ ସମସ୍ୟା ଦୂର ସମ୍ଭାବନାକୁ ଅନୁଧ୍ୟାନ କରାଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।