SunstarTV
ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ହେଉଛି ଏହି ବୈଠକର ଫୋକସ୍ ପଏଣ୍ଟ। ତେବେ ଏହି ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଶୁକ୍ରବାରଠାରୁ ସେ ୪ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ଏହି ବୈଠକ ପରେ ପରବର୍ତ୍ତୀ ସମୟରେ ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ରହିଛି। ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।
ଏହସହ ନୀତି ଆୟୋଗ ବୈଠକରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଛନ୍ତି। ନୀତି ଆୟୋଗ ବୈଠକକୁ ବିରୋଧୀ ଇଣ୍ଡି ମେଣ୍ଟ ବର୍ଜନ କରିବାକୁ ଘୋଷଣା କରିଥିବାବେଳେ ମମତା ବୈଠକରେ ଯୋଗଦେବେ ବୋଲି କହିଛନ୍ତି। ମମତାଙ୍କ ବ୍ୟତୀତ ନୀତି ଆୟୋଗ ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଯୋଗଦେବେ।
ଏହା ସହିତ ମମତା ପଶ୍ଚିମବଙ୍ଗକୁ ବିଭାଜନ କରିବା ଲାଗି ଶାସକ ଦଳ ଚଳାଇଥିବା ଷଡଯନ୍ତ୍ରର ସେ ପ୍ରତିବାଦ କରିବେ ବୋଲି କହିଛନ୍ତି। ନୀତି ଆୟୋଗ ବୈଠକକୁ କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସହିତ ପଞ୍ଜାବ ଓ କେରଳ ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିବାକୁ ଘୋଷଣା କରିଛନ୍ତି।