Sunstar TV
Rastrapati Bhawan Hall name Changed: ବଦଳିଯାଇଛି ରାଷ୍ଟ୍ରପତି ଭବନ ହଲର ନାଁ । ଦରବାର ହଲ ଓ ଅଶୋକ ହଲର ନାମ ପରିବର୍ତ୍ତନ ହୋଇଛି । ଦରବାର ହଲ ର ନାମ “ଗଣତନ୍ତ୍ର ମଣ୍ଡପ ” ହୋଇଥିବା ବେଳେ ଅଶୋକ ହଲର ନାମ ବଦଳାଇ “ଅଶୋକ ମଣ୍ଡପ” ରଖାଯାଇଛି । ଏହି ନାମ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି । ଗୁରୁବାର ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିବା ଏକ ପ୍ରେସ ଵିଜ୍ଞପ୍ତି ସାହାଯ୍ୟରେ ଏହି ସୂଚନା ଦିଆଯାଇଛି । କେବଳ ଏହି ଦୁଇ ହଲର ନାମ ନୁହେଁ ତା ସହ ଅନେକ ପ୍ରମୁଖ ଅଟ୍ଟାଳିକା ଏବଂ ରାସ୍ତାର ନାମ ମଧ୍ୟ ପରିବର୍ତ୍ତନ ହୋଇଛି ।
ପ୍ରକାଶ ଥାଉ କି, ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ ସମାରୋହ ଭଳି ବଡ ବଡ କାର୍ଯ୍ୟକ୍ରମ ଦରବାର ହଲରେ ଆୟୋଜନ କରାଯାଏ । ଦରବାର ଶବ୍ଦ ହେଉଛି, ବ୍ରିଟିଶ ଏବଂ ଭାରତୀୟ ଶାସକ ମାନଙ୍କର କୋର୍ଟ ଏବଂ ସମାବେଶ ସହ ଜଡିତ, ଯେଉଁ ସ୍ଥାନରେ ସେମାନଙ୍କର କାର୍ଯ୍ୟ ପରିଚାଳନା ହେଉଥିଲା। ଉକ୍ତ ଵିଜ୍ଞପ୍ତିରେ ପ୍ରକାଶ ଅଛି କି, ଭାରତ ଏକ ଗଣତନ୍ତ୍ର ହେବା ପରେ ଏହାର ପ୍ରାସଙ୍ଗିକତା ଶେଷ ହେଲା । ପ୍ରାଚୀନ ସମୟରୁ ଗଣତନ୍ତ୍ରର ଅବଧାରଣ ଭାରତୀୟ ସମାଜରେ ନିଖୁଣ ଭାବରେ ଯୋଡି ହୋଇ ରହିଛି । ତେଣୁ ସବୁକୁ ଦୃଷ୍ଟିରେ ରଖି ଦରବାର ହଲ ବଦଳରେ “ଗଣତନ୍ତ୍ର ମଣ୍ଡପ” ନାମ ରଖିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଅଟେ ।
ବିବୃତ୍ତିରେ ଅଶୋକ ହଲ ସମ୍ପର୍କରେ କୁହାଯାଇଛି ଯେ, ପ୍ରଥମତଃ ଏହା ଏକ ବଲ ରୁମ ଥିଲା । ” ଅଶୋକ” ଶବ୍ଦର ଅର୍ଥ ହେଉଛି, “ସମସ୍ତ ଦୁଃଖରୁ ମୁକ୍ତ ” ଅଥବା “କୌଣସି ଦୁଃଖରୁ ବଞ୍ଚିତ” । ଏହା ଛଡା “ଅଶୋକ” କହିଲେ ତାହା “ଅଶୋକ ସମ୍ରାଟ” ଙ୍କୁ ବୁଝାଏ । ଯିଏ ଏକତା ଏବଂ ଶାନ୍ତିର ପ୍ରତୀକ । ସ୍ୱାଧୀନ ଭାରତର ପ୍ରତୀକ ହେଉଛି ସାରନାଥରେ ଅଶୋକଙ୍କ ସିଂହ ମୁଣ୍ଡ । ଏହି ଶବ୍ଦ ଅଶୋକ ବୃକ୍ଷକୁ ମଧ୍ୟ ବୁଝାଏ । ଏହି ବୃକ୍ଷର ଭାରତୀୟ ଧାର୍ମିକ ପରମ୍ପରା ତଥା କଳା ସଂସ୍କୃତିରେ ବେଶ ମହତ୍ତ୍ୱ ରହିଛି । ତେବେ ଏହି “ଅଶୋକ ହଲ”ର ନାମକୁ “ଅଶୋକ ମଣ୍ଡପ”ରେ ବଦଳାଇବାର ଉଦ୍ଦେଶ୍ୟ ହେଉଛି ଭାଷାରେ ସମାନତା ଏବଂ ଇଂରାଜୀକରଣର ଛିଟା ଦୂର କରିବା । ଏହି ପରିବର୍ତ୍ତନରେ କିନ୍ତୁ “ଅଶୋକ ଶବ୍ଦ” ସହ ଜଡିତ ପ୍ରକୃତ ନୈତିକତା ଅକ୍ଷୁର୍ଣ୍ଣ ରହିବ ।