SunstarTV
ପରିବର୍ତ୍ତନ ହେବନି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ। ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁଙ୍କ ନାଁରେ ଦୀର୍ଘ ବର୍ଷରୁ କ୍ରୀଡ଼ା ପୁରସ୍କାର ଦିଆଯାଇ ଆସୁଅଛି। ଏହାର ନାମ ପରିବର୍ତ୍ତନ କଥା ମୁଁ ଆଜି ଗଣମାଧ୍ୟମରୁ ଜାଣିବାକୁ ପାଇଲି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ । ମୋ ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ଦିଅନ୍ତି। ବିଜୁ ବାବୁ ନିଜ ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ଓଡ଼ିଶା ପାଇଁ ତଥା ଭାରତ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବ ପରି ଚାଲୁ ରହିବ। ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବାର ଯୋଜନା ନାହିଁ। ଯେମିତି ଆଗରୁ ଚାଲିଥିଲା ସେମିତି ଚାଲିବ।
ସୂଚନା ମୁ୍ତାବକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ କଥା ଉଠିଥିଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ। ଏଥିରେ ‘ବିଜୁ ପଟ୍ଟନାୟ କ୍ରୀଡ଼ା ପୁରସ୍କାର’ ବଦଳରେ ’ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଲେଖାଯାଇଥିଲା। ରାଜ୍ୟରେ ଖେଳକୁଦ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୦୨ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି।
ତେବେ ଏହା ଉପରେ କ୍ରୀଡା ମନ୍ତ୍ରୀଙ୍କ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରୀଡା ବିଭାଗ ଓଡ଼ିଶାର ବରପୁତ୍ର ମାନଙ୍କୁ ସମ୍ମାନ ଦେବାକୁ ଚେଷ୍ଟା କରୁଛି । ବିଜୁ ବାବୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କୌଣସି ନାମ ପରିବର୍ତନ ହେବ ନାହିଁ ।ତେଣୁ ତାହା ଉପରେ ଆମେ କାର୍ଯ୍ୟ କରିବୁ ବୋଲି କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି ।