SunstarTV
ବାଙ୍ଗଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଙ୍ଗଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଯବାନ ମାନଙ୍କୁ ମୁତୟନ କରାଯାଉଛି।
ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ଯାଏଁ ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ୨୫ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦେଶରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଶେଖ ହସିନାଙ୍କ ସରକାର।
କିନ୍ତୁ ସେପଟେ ସରକାରଙ୍କ ବହୁ ପଦକ୍ଷେପ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ଗତକାଲି ବହୁ ଛାତ୍ର ଆନ୍ଦୋଳନକାରୀମାନେ ନରସିଂହଡି ଜିଲ୍ଲାସ୍ଥିତ ଜେଲ୍ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ଜେଲ୍ରେ ୧୦୦ରୁ ଅଧିକ କଏଦୀ ଖସି ଯାଇଥିବା ଅନୁମାନ କରାଯାଉଛି ।
ପଡ଼ୋଶୀ ଦେଶରେ ଦେଖାଦେଇଥିବା ଏପରି ହିଂସାତ୍ମକ ଘଟଣା ସେମାନଙ୍କ ଅନ୍ତରୀଣ ବ୍ୟାପାର ବୋଲି କହିଛି ଭାରତ । ତେବେ ଭାରତ ସେଠାକାର ସ୍ଥିତି ଉପରେ କଡ଼ା ନଜର ରଖିଛି।
ସେପଟେ ବାଙ୍ଗଲାଦେଶରେ ଥିବା ୧୫ ହଜାର ଭାରତୀୟ ସୁରକ୍ଷିତ ଅଛନ୍ତି। ଏଥିସହ ବାଙ୍ଗଲାଦେଶରେ ଫସିଥିବା ଅନ୍ୟ ଭାରତୀୟ ନାଗରିକ ତଥା ଛାତ୍ର ସ୍ୱଦେଶକୁ ଫେରିବାକୁ ଚାହିଁଲେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।
ସୂଚନାମୁତାବକ ବାଙ୍ଗଲାଦେଶରେ ସରକାରୀ ଚାକିରୀରେ ୩୦% ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କୁ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ।