Sunstar TV :
ଏବେ ବେଙ୍ଗାଲୁରରେ ଆଶାବାଦୀ ଥିବା ଚାକିରିଆଙ୍କ ଉପରେ ପଡିଛି ଚଡକ । ତେବେ ଘଟଣା ଟି କଣ ନଜର ପକାନ୍ତୁ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଦେଶର ଆଇଟି ହବ୍ ଭାବେ ଜଣାଶୁଣା । ଏଠି ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଯୁବକ ଯୁବତୀ ବିଭିନ୍ନ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି । କିନ୍ତୁ ଏଣିକି ବେଙ୍ଗାଲୁରୁ ତଥା କର୍ଣ୍ଣାଟକର କୌଣସି ଘରୋଇ ସଂସ୍ଥାରେ ଚାକିରି କରିବା ଅନ୍ୟ ରାଜ୍ୟ ଯୁବବର୍ଗଙ୍କ ପାଇଁ ସହଜ ହୋଇନପାରେ ।
କାରଣ କର୍ଣ୍ଣାଟକ ସରକାର ନିଜ ରାଜ୍ୟବାସୀଙ୍କ ପାଇଁ ଘରୋଇ ସଂସ୍ଥାରେ ଚାକିରି ସଂରକ୍ଷଣ ବ୍ୟବସ୍ଥା ଆଣିଥିଲେ । ଅଣପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ୭୦ ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଥିଲା । ଅର୍ଥାତ୍ କନ୍ନଡ ଲୋକେ ହିଁ ଘରୋଇ ସଂସ୍ଥାରେ ଅଧିକ ନିଯୁକ୍ତି ପାଇବେ । ଏହାକୁ ନେଇ ବିବାଦ ଦେଖାଦେବା ପରେ ଏହି ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ସରକାର ।
ଘରୋଇ ସଂସ୍ଥାରେ ସଂରକ୍ଷଣ ସମ୍ପର୍କିତ ବିଲ୍କୁ ସିଦ୍ଧରମୈୟା ସରକାର ଅନୁମୋଦନ କରିଥିଲେ । ଗତକାଲି (ମଙ୍ଗଳବାର) ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ ସୂଚନା ଦେଇଛନ୍ତି । ହେଲେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ଉଦ୍ୟୋଗ ଜଗତରେ ଘୋର ନାପସନ୍ଦ କରାଯାଇଛି ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଥମେ ନିଜର ‘ଏକ୍ସ’ ହ୍ୟାଣ୍ଡେଲରେ କନ୍ନଡବାସୀଙ୍କ ପାଇଁ ଶତ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ସୂଚନା ଦେଇଥିଲେ । ଏନେଇ ବିବାଦ ଆରମ୍ଭ ହେବା ପରେ ସେ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ । ଏହାପରେ କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ ବେସରକାରୀ ସଂସ୍ଥାରେ ଅଣପରିଚାଳନା କ୍ଷେତ୍ରରେ ୭୦ ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ ।
ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ଚାହେଁ ଯେମିତି କନ୍ନଡବାସୀ ନିଜ ମାଟିରେ ଚାକିରିରୁ ବଞ୍ଚିତ ନ ରୁହନ୍ତୁ ଏବଂ ଏଠି ଆରାମରେ ଜୀବନ ଯାପନର ସୁଯୋଗ ପାଆନ୍ତୁ । ତାଙ୍କର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ ଓ ସମାଲୋଚନା କରାଯାଉ ଥିବାବେଳେ ଏନେଇ ସେ ଉଦ୍ୟୋଗଗୁଡିକ ସହ ପରାମର୍ଶ କରି ସମସ୍ୟାର ସମାଧାନ କରିବେ ଏବଂ ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି କହିଥିଲେ ।