Sunstar TV :
ଅଡ଼ୁଆରେ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ବିଶ୍ବ ବିଜୟୀ କ୍ରିକେଟର୍ । ଦିବ୍ୟାଙ୍ଗଙ୍କୁ ପରିହାସ କରି ଏବେ ଅଡୁଆରେ ପଡିଛନ୍ତି ବିଶ୍ବ ବିଜୟୀ କ୍ରିକେଟର୍ । ‘X’ ରିଲ୍ସ ବନାଇ ଦିବ୍ୟାଙ୍ଗଙ୍କୁ ପରିହାସ କରିଥିବା ନେଇ ଯୁବରାଜ ସିଂ, ହରଭଜନ ସିଂ, ସୁରେଶ ରୈନା ଓ ଗୁରକୀରଟ ମାନଙ୍କ ନାଁରେ ହୋଇଛି ସଙ୍ଗୀନ ଅଭିଯୋଗ । ନିକଟରେ ପାକିସ୍ତାନକୁ ୱାର୍ଲ୍ଡ ଚମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୪ ଫାଇନାଲରେ ପରାସ୍ତ କରି ଟ୍ରଫି ଜିତିଛି ଭାରତୀୟ ଚମ୍ପିଆନ୍ ଦଳ । ଯୁବରାଜ ସିଂଙ୍କ ନେତୃତ୍ବାଧୀନ ଦଳ ପାକିସ୍ତାନକୁ ଫାଇନାଲରେ ହରାଇବା ପରେ ଯେଉଁ ସେଲିବ୍ରେସନ୍ କରିଥିଲେ, ତାହା ସେମାନଙ୍କ ପାଇଁ ଏବେ ମହଙ୍ଗା ପଡିଛି ।
ବିଶ୍ବ ଚମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୪ ଫାଇନାଲ୍ରେ ପାକିସ୍ତାନ ଲିଜେଣ୍ଡସ୍କୁ ହରାଇ ଚମ୍ପିଆନ୍ ହୋଇଥିଲେ ଇଣ୍ଡିଆ ଲିଜେଣ୍ଡସ୍ । ଏହାପରେ ଭାରତୀୟ ଡ୍ରେସିଂ ରୁମ୍ରେ ଭିନ୍ନ ଧରଣର ସେଲିବ୍ରେସନ କରାଯାଇଥିଲା । ଆଉ ଯାହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ, ଯୁବରାଜ ସିଂ, ହରଭଜନ ସିଂ, ସୁରେଶ ରୈନା ଓ ଗୁରକୀରଟ ମାନ ଦିବ୍ୟାଙ୍ଗ ଭଳି ଛୋଟେଇ ଛୋଟେଇ ଭିତରକୁ ଆସୁଛନ୍ତି ।
ବ୍ୟାକ ଗ୍ରାଉଣ୍ଡରେ ଭିକି କୌଶଲଙ୍କ ଆଗାମୀ ରୋମାଣ୍ଟିକ କମେଡି ଫିଲ୍ମ ‘ବ୍ୟାଡ୍ ନ୍ୟୁଜ୍’ର ଗୀତ ତୋବା-ତୋବା ବାଜୁଛି । ଯାହାକୁ ସହଜରେ ଗ୍ରହଣ କରିପାରିନି ଜାତୀୟ ଭିନ୍ନକ୍ଷମ ନିଯୁକ୍ତି ପ୍ରୋତ୍ସାହନ କେନ୍ଦ୍ର । ଏହି କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅରମାନ ଅଲି ଏହି କ୍ରିକେଟରଙ୍କ ନାମରେ ନୂଆଦିଲ୍ଲୀ ସ୍ଥିତ ଅମର କଲୋନୀ ଥାନାରେ ଅଭିଯୋଗ କରିଛନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପରିହାସ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଭାରତୀୟ ପାରାଲିମ୍ପିକ କମିଟି ମଧ୍ୟ ଏଭଳି ଭିଡିଓକୁ ନେଇ ଖେଳାଳିମାନଙ୍କୁ ନିନ୍ଦା କରିଛି । ଭାଇରାଲ ଭିଡିଓର କମେଣ୍ଟ ସେକ୍ସନରେ କମିଟି ଲେଖିଛି, ଏହା ଏକ ଘୃଣା ଏବଂ ସମ୍ବେଦନଶୀଳ କାର୍ଯ୍ୟ । ଜଣେ ତାରକା ସେଲିବ୍ରିଟି ହୋଇ ତୁମେମାନେ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ । ହେଲେ ଏଠାରେ ତୁମେ ଭିନ୍ନକ୍ଷମମାନଙ୍କୁ ପରିହାସ କରୁଛ । ଏପରି କରିଥିବାରୁ କ୍ଷମା ମାଗିବା ଉଚିତ ।