SunstarTV
ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଜନ୍ମବେଦୀରୁ ରତ୍ନବେଦୀକୁ ଆଜି ଯାତ୍ରା କରିବେ । ବଡ଼ଦାଣ୍ଡରେ ଘର ଘର ନାଦକରି ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ଭଗବାନଙ୍କୁ ଦେଖିବା ପାଇଁ ଭକ୍ତ ମାନେ ଚାହିଁ ବସିଛନ୍ତି । ନଅଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ବାହୁଡ଼ାଯାତ୍ରା କରିବେ ମହାପ୍ରଭୁ।
ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ତିନିରଥକୁ ପ୍ରସ୍ତୁତ କରି ରଖାଯାଇଛି। ଆକର୍ଷଣୀୟ ଫୁଲରେ ରଥ ଗୁଡ଼ିକୁ ସଜ୍ଜିତ କରାଯାଇଛି।
ସୂଚନାମୁତାବକ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁଯାୟୀ ଆଜି ପ୍ରାତଃ ୪ଟାରେ ଜନ୍ମବେଦୀରେ ଶ୍ରୀଜୀଉଙ୍କୁ ମଙ୍ଗଳଆଳତି କରାଯାଇଛି। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା କରାଯିବା ସହ ବେଶ କରାଯିବ। ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳଧୂପ ଅନୁଷ୍ଠିତ ହୋଇଛି। ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକ ସେନାପଟା ଲାଗି କରିବେ। ମଙ୍ଗଳାର୍ପଣ ପରେ ଦିନ ୧୨ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡିଯାତ୍ରା।
ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ମେଳରେ ମିଳିତ ଘଣ୍ଟବାଦ୍ୟ, ବୀର କାହାଳୀ ଏବଂ ପଖଉଜ ବାଦ୍ୟ ସହ ତାଳମିଳାଇ ଝୁଲି ଝୁଲି ରଥ ଉପରେ ବିଜେ କରିବେ ମହାପ୍ରଭୁ। ଦିନ ୨ଟା ୩୦ସୁଦ୍ଧା ଠାକୁରଙ୍କ ବାହୁଡ଼ା ପହଣ୍ଡି ଶେଷହେବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ପୂର୍ବରୁ ତିନିରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି। ଲୋକଙ୍କ ସୁରକ୍ଷା, ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ, ରଥ ଗୁଡ଼ିକର ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।