SunstarTV
ରଥ ଉପରେ ବ୍ୟବହାର କରିପାରିବେନି ମୋବାଇଲ ଫୋନ । ଏଥିସହ କେହି ରଥ ଉପରେ ସେଲଫି ମଧ୍ୟ ନେଇପାରିବେ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ଦାୟିତ୍ୱ ନେବା ପରେ ଏଭଳି କିଛି କଡ଼ା ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି।
ସେ କହିଛନ୍ତି,ଅଣ ସେବାୟତ ରଥ ଉପରକୁ ମୋବାଇଲ୍ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସେବା ସହ ଜଡ଼ିତ ନଥିଲେ ରଥ ଉପରକୁ କେହି ଯାଇ ପାରିବେନି ବୋଲି ସିଧା ସିଧା କହିଛନ୍ତି । ଯେଉଁମାନେ ସେବା ସହିତ ଜଡିତ ନୁହଁନ୍ତି ସେମାନେ ରଥ ଉପରକୁ ଯାଇ ପାରିବେନି। ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ ବୋଲି ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ। ଏଥିପାଇଁ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ଯାଏ ଆମେ ଅପେକ୍ଷା କରିବା। ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେବା ପରେ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ।