SunstarTV
ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୮ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଯାହା ସୂଚନା ମିଳୁଛି ସେହି ଦିନ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ।
ସୂଚନା ଯୋଗ୍ୟ, ପରୀକ୍ଷା ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେଇ ସରକାର ୧୫୬୩ ଛାତ୍ରଛାତ୍ରୀଙ୍କୁ ଜୁନ୍ ୧୩ରେ ଦିଆଯାଇଥିବା ଗ୍ରେସ୍ ମାର୍କ ବାତିଲ କରି ଦେଇଥିଲେ। ଏହାସହ ୨ଟି ବିକଳ୍ପ ମଧ୍ୟ ଦେଇଥିଲେ । ପ୍ରଥମଟି କୌଣସି ଗ୍ରେସ ମାର୍କ ବିନା ଛାତ୍ରଛାତ୍ରୀ ନିଟ୍-ୟୁଜିର କାଉନସେଲିଙ୍ଗ୍ରେ ସାମିଲ ହେବେ । ନଚେତ୍ ପୁନଃ ପରୀକ୍ଷା ଦେବେ । ସେହି ସମୟରେ ଏନଟିଏ ଘୋଷଣା କରିଥିଲା ଯେ ଗ୍ରେସ୍ ମାର୍କ ଦିଆଯାଇଥିବା ଛାତ୍ରଛାତ୍ରୀମାନଙ୍କର ପୁନଃ ପରୀକ୍ଷା ଜୁନ୍ ୨୩ରେ ଅନୁଷ୍ଠିତ ହେବ।
ଆଜି ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସତ୍ୟ ପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ଦେଖାଦେବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚି ଥିଲା। ତେବେ ଜୁଲାଇ ୮ରେ ଏହାର ଶୁଣାଣି କରି ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଓ ଏନଟିଏକୁ ବୁଧବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ।