Sunstar TV :
ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଜି ଫେରି ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଆଉ ପୁରୀରୁ ଫେରି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଭୁବନେଶ୍ୱରରେ ପହଞ୍ଚିଥିଲେ । ଭୁବନଶ୍ୱରରେ କଡା ସୁରକ୍ଷା ଭିତରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ସୁରକ୍ଷା ବଳୟ ଭିତରେ ଭୁବନଶ୍ୱରରେ ବୁଲିଥିଲେ ରାଷ୍ଟ୍ରପତି । ଏହି ପରିପ୍ରେକ୍ଷୀରେ ମହାମହିମ ରାଷ୍ଟ୍ରପତି ଉଦୟଗିରି ଗୁମ୍ଫା ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ଉଦୟଗିରି ପରିଦର୍ଶନ କରିଛନ୍ତି ମହାମହିମ ରାଷ୍ଟ୍ରପତି ।
ଏହା ସହ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ଏହି ସ୍ୱତନ୍ତ୍ର ଆଲୋଚନା କାର୍ୟ୍ୟକ୍ରମରେ ୫୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀଙ୍କୁ ସାଦରେ ସ୍ନେହ ସହକାରେ ଆଶୀର୍ବାଦ ଦେଇଛନ୍ତି ମହାମହିମ । ତେବେ ଭୁବନେଶ୍ୱରରେ ପାଠ ପଢ଼ିବା ସମୟର ସ୍ମୃତି ମନେ ପକାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ ବେଳେ ରାଷ୍ଟ୍ରପତି କହିଛନ୍ତି,”ଏହି ଅଞ୍ଚଳ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଉପର ଯାଏଁ ଚଢ଼ି ହେଉନଥିଲା । ଏସବୁ ଜିନିଷକୁ ସଂରକ୍ଷିତ ରଖିବାର ଆବଶ୍ୟକତା ଅଛି ।
ଉଦୟଗିରି ପାଦ ଯାଏଁ ଏବେ ସହର ଆସିଗଲାଣି । ପୂର୍ବରୁ ଏଠାରେ ସାଧୁସନ୍ଥ ବସବାସ କରୁଥିଲେ । ସେମାନଙ୍କ ସହ ଆମେ କଥା ବାର୍ତ୍ତା କରୁଥିଲୁ । ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଛି । ସାଧୁ ସନ୍ଥ ଏଠାରେ ରହିବାକୁ ପସନ୍ଦ କରୁନାହାନ୍ତି ।” ସେହିପରି ଉଦୟଗିରି ଗୁମ୍ଫା ବୁଲିବା ନେଇ ଅତୀତର ସ୍ମୃତି ମନେ ପକାଇଛନ୍ତି ରାଷ୍ଟ୍ରପତି । ଉଦୟଗିରିର ଶିଳା ଲେଖା, ଗୁମ୍ଫା, ଉତ୍କଳର ଉନ୍ନତ କଳାର ପ୍ରତୀକ ।
ଗୁମ୍ଫାର ମାନଚିତ୍ରରୁ ଜଣାପଡ଼ୁଛି ଯେ ସେତେବେଳେ ଲୋକ ମାନେ କଳାରେ କେତେ ସମୃଦ୍ଧ ଥିଲେ । ସେ ସବୁ କଳାର ସଂରକ୍ଷଣ କରିବା ଉଚିତ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଆହୁରି କହିଛନ୍ତି, “ପୂର୍ବରୁ ମୁଁ ଶିକ୍ଷକତା କରୁଥିଲି । ତେଣୁ ପିଲାଙ୍କ ସହ କଥା ହେବାକୁ ଭଲ ଲାଗୁଛି । ଆଉ କେବେ ଆସିଲେ, କଲେଜ ବୁଲିବାକୁ ଯିବି ।” ଏହାପରେ ଉଦୟଗିରି ଗୁମ୍ଫା ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମହାମହିମ । ପିଲାମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ।