SunStarTV
ରଥଯାତ୍ରା ପାଇଁ ପୁରୀ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ଗତକାଲି ଠାରୁ ରାଷ୍ଟ୍ରପତି ପୁରୀରେ ଅଛନ୍ତି । ତେବେ ସୋମବାର ସକାଳୁ ସମୁଦ୍ର କୂଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି।
ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଥିବା କିଛି ଫଟୋ ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ଦିଆଯାଇନଥିଲା ।
ପ୍ରାତଃଭ୍ରମଣର ପରେ ମହାମହିମ କହିଛନ୍ତି ଯେ, ଏମିତି କିଛି ସ୍ଥାନ ରହିଛି ଯେଉଁଠି ଆମକୁ ମାନସିକ ଶାନ୍ତି ମିଳିବା ସହ ଅଦ୍ଭୁତ ଆନନ୍ଦ ମିଳିଥାଏ । ଆଜି ସମୁଦ୍ର କୂଳରେ ଭ୍ରମଣ ବେଳେ କୋମଳ ପବନ, ସମୁଦ୍ରର ଗର୍ଜନ ଏବଂ ଜଳର ବିସ୍ତାର ଏକ ଅଦ୍ଭୁତ ମିଳନ ଅନୁଭବ କରିଲି । ଗତକାଲି ମହାପ୍ରଭୁଙ୍କ ଦର୍ଶନ କରି ମୋ ଭିତରେ ଏକ ଗଭୀର ଆଭ୍ୟନ୍ତରୀଣ ଶାନ୍ତି ଆଣି ଦେଇଥିଲା ।