SUNSTARTV
ସନ ଷ୍ଟାର ଟିଭି ବ୍ୟୁରୋ: ଓଡ଼ିଶାରେ ବଜେପି ସରକାର ଆସିବା ପରେ ବିଭିନ୍ନ କ୍ଷେତ୍ରରେ ହେଉଛି ପରିବର୍ତ୍ତନ । ଖାସ କରି ଶିକ୍ଷା ବ୍ୟବସ୍ଥା କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହାକୁ ଜାଣିବା ପରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ସମସ୍ତେ ଖୁସି ଅଛନ୍ତି । ଏଥିସହିତ ମୋହନ ସରକାରଙ୍କୁ ପ୍ରଶଂସା କରୁଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଏଣିକି ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଫଳରେ ପିଲାମାନେ ସମୟ ନଷ୍ଟ ନକରି ପଢ଼ାପ୍ରତି ଅଧିକ ଧ୍ୟାନ ଦେବେ । ତେବେ ସରକାର ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଏହିଭଳି ଏକ ନିଆରା ବ୍ୟବସ୍ଥା ଆରମ୍ଭ କରିଛନ୍ତି। ରାଜ୍ୟର ଥିବା ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ପାଇବେ ଏହି ସୁବିଧା। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂର ଥିବାରୁ ଛାତ୍ରଛାତ୍ରୀମାନେ ଅଧାରେ ପାଠପଢା ଛାଡ଼ିଦିଅନ୍ତି। ଯାହାଫଳରେ ରାଜ୍ୟରେ ନିରକ୍ଷରତା ବୃଦ୍ଧି ପାଉଛି । ତେଣୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି।
ଉପସ୍ଥାନ ବଢ଼ାଇବା ପାଇଁ ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯଦି ୧ କିଲୋମିଟରରୁ ଅଧିକ ଯିବାକୁ ପଡ଼ୁଥିବ ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ। ସେହିପରି ଉଚ୍ଚ ପ୍ରାଥମିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ୩ କିଲୋମିଟର ଓ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ୫ କିଲୋମିଟରରୁ ଅଧିକ ଦୁରତାର ବିଦ୍ୟାଳୟ ଯାଉଥିଲେ ସେମାଙ୍କ ଯାତାୟତ ଖର୍ଚ୍ଚ ବହନ କରିବେ ସରକାର। ଏହି ବାବଦକୁ ବର୍ଷକୁ ଜଣେ ଛାତ୍ର ୬ହଜାର ଟଙ୍କା ପାଇବେ। ବିଦ୍ୟାଳୟରେ ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ହେଲେ ଏହି ଅର୍ଥରାଶି ପାଇବାକୁ ଛାତ୍ରଛାତ୍ରୀ ଯୋଗ୍ୟ ହେବେ ବୋଲି କହିଛନ୍ତି ଓସେପା ଅଧିକାରୀ।