SunstarTV
ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୫ ଅଟକ ରଖାଯାଇଛି। ଗୁରୁବାର ସନ୍ଧ୍ୟାରେ ହେମଗିରି ଥାନା ଗର୍ଜନବାହାଲରେ ୨ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ହୋଇଥିଲା। କୋଇଲା ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୦ ଆହତ ସୁନ୍ଦରଗଡ଼ ଓ ରାୟଗଡ଼ରେ ଭର୍ତ୍ତି ହୋଇଥିଲେ।ଏପରିକି ୱାସେରିରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି।
ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ଗୁଳିଚାଳନା କରିବାରୁ ଅନେକ ଯୁବକ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ ଡାକ୍ତରଖାନା ନିଆଯାଇଛି। ଜଣକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ହେଲେ ଭବାନୀପୁରର ମଣ୍ଟୁ ତୋଲାନି (୩୭)। ତାଙ୍କ ମୁଣ୍ଡ ଫାଟିଛି। ଏହି ଘଟଣାରେ ପୁଲିସ ୧୫ଜଣଙ୍କୁ ଥାନାରେ ଅଟକ ରଖାଯାଇଛି।
କୋଲ୍ ୱାସେରିର ମାଲିକାନାକୁ ନେଇ ବହୁ ବର୍ଷ ଧରି ରାୟଗଡ଼ର ଦୁଇ ମାଲିକଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ଜଣେ ମାଲିକ କୋଲ୍ ୱାସେରିରେ ତାଲା ପକାଇ ଦେଇଥିବା ବେଳେ ଅନ୍ୟ ଜଣେ ଏହାକୁ ଖୋଲିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଗୁରୁବାର ଦୁଇ ଗୋଷ୍ଠୀ ୱାସେରିରେ ସାମ୍ନାସାମ୍ନି ହୋଇଥିଲେ।
ପ୍ରଥମେ କଥା କଟାକଟି, ପାଟିତୁଣ୍ଡରୁ ମାଡ଼ପିଟ ଆଡ଼କୁ କଥା ଯାଇଥିଲା। ଲୁହା ରଡ୍, ବାଡ଼ିରେ ବହେ ଛେଚାଛେଚି ହୋଇଥିଲେ। ଏପରିକି ବହୁ ଗୁଳିଚାଳନା ସହ ଗାଡ଼ିମଟର, ଅଫିସ ଭଙ୍ଗାରୁଜା ହୋଇଥିଲା। ମାଡ଼ପିଟରେ ସାମିଲ ସୁନ୍ଦରଗଡ଼ର କିଛି ଯୁବକଙ୍କ ମଧ୍ୟରୁ କେତେ ଜଣ ଆହତ ହୋଇଥିବା ବେଳେ ଜଣକୁ ଅପହରଣ କରି ରାୟଗଡ଼ ନିଆଯାଇଥିବା କୁହାଯାଉଛି।