SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଧୀରେ ଧୀରେ ସକ୍ରୀୟ ହେଉଛି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ଲାଗି ରହିଛି ବର୍ଷା ପବନ । ଏହି ଲଘୁଚାପ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି। ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆହୁରି ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ରହିଛି ସତର୍କ ସୂଚନା ।
ତେବେ ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ମତ୍ସ୍ୟଜୀବୀମାନଙ୍କୁ ଆଗାମୀ ୩ ଦିନ ଯାଏଁ ସମୁଦ୍ରକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । କାରଣ ଲଘୁଚାପ ଏବଂ ମୌସୁମୀ ପ୍ରଭାବରେ ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଥାବା ଜଣାପଡିଛି । ବଲାଙ୍ଗୀର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର, ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏହାବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସୋମବାର ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୋମବାରଠାରୁ ପାଗରେ ପରିବର୍ତ୍ତନ ହେବା ସହ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ଅନ୍ୟ କିଛି ସ୍ଥାନରେ ପାଗ କୋହଲା ରହିବା ସହ ଝିପି ଝିପି ବର୍ଷା ହୋଇପାରେ ବୋଲି ଜମାପଡିଛି । ତେବେ ସୋମବାର ଠାରୁ ରାଜ୍ୟର କିଛି ସ୍ଥାନ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି ।