Sunstar TV :
ଶ୍ରୀ ଜଗନ୍ନାଥଙ୍କର ମହିମା ଅପାର । ତାଙ୍କୁ ଯିଏ ଦର୍ଶନ ପାଇଁ ଚିନ୍ତା କରିଛି ପ୍ରଭୁ ତାଙ୍କୁ ଦର୍ଶନ ଦେଇଛନ୍ତି । ଯେଉଁ ରୂପରେ ହେଉନା କାହିଁକି । ପୁରୁଷୋତ୍ତମ ଚନ୍ଦ୍ରିକାରେ ହୋଇଥିବା ଉଲ୍ଲେଖ ଅନୁସାରେ ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନଥିଲେ । ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ । ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ ।
ଅଣସର ଗୃହରେ ଏକ ଅଷ୍ଟ ଦଳ ପଦ୍ମ ଦେଖି ଅଲବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ା ଗୁଡିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ । ଫଳରେ ଅଲବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟକାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା । ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛନ୍ତି ।
ପୁଣି କୁହାଯାଏ ସତ୍ୟ ଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ପ୍ରକଟ ହୋଇଥିଲା । ତେବେ ଅନେକ କାଳ ଧରି ଏହି ଲୀଳା ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ରକୁ ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା । ଶ୍ରୀ ଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ । କାଶୀମିଶ୍ରାଳୟର ଗମ୍ଭୀରା ଘରେ ସେ ଅବସ୍ଥାନ ପୂର୍ବକ ପ୍ରତ୍ୟହ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିରକୁ ଯାଉଥିଲେ । ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନପାଇ ବିରହ ଜ୍ୱାଳାରେ ମିୟମ୍ରାଣ ହୋଇପଡ଼ିଥିଲେ । ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମଗିରିସ୍ଥ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ ।