Sunstar TV :
୧୦୮ ଗରା ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡିତ । ଅଣସର ଘରେ ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବା କରୁଛନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ।
ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂର୍ଣ୍ଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂର୍ଣ୍ଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ ।
ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ଵ ପୁରୀ-ସାତପଡ଼ା ରାସ୍ତାରେଜାତୀୟ ରାଜପଥ-୨୦୩(କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି । ଐତିହାସିକମାନଙ୍କ ମତରେ ୧୧୨୮ ଖ୍ରୀଷ୍ଟାବ୍ଦରେ ଗଙ୍ଗ ବଂଶର ଚତୁର୍ଥ ନରପତି ମଦନ ମହାଦେବଙ୍କ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା ।
ମନ୍ଦିରର ବିମାନ ବା ଗର୍ଭଗୃହର ମଧ୍ୟଭାଗରେ ପ୍ରତିଷ୍ଠିତ ଏକ ପ୍ରସ୍ତର ସିଂହାସନରେ ଚିକ୍କଣ କଳା ମୁଗୁନି ପ୍ରସ୍ତର ନିର୍ମିତ ଚତୁର୍ଭୁଜ ବିଶିଷ୍ଟ ଅଲାରନାଥ ବିଗ୍ରହ ଅତ୍ୟନ୍ତ କମନୀୟ । ଦଣ୍ଡାୟମାନ ଭଙ୍ଗୀରେ ଥିବା ଏହି ବିଗ୍ରହଙ୍କର ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସୁଶୋଭିତ ।
ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଅଲାରନାଥଙ୍କ ବିଗ୍ରହରେ ଦ୍ରାବିଡ଼ ଶୈଳୀର ଭାସ୍କର୍ଯ୍ୟ ପରିଲକ୍ଷିତ ହୋଇଥାଏ । ଅତ୍ୟନ୍ତ ପ୍ରାଚୀନ ସମୟରୁ ବଂଶାନୁକ୍ରମିକ ଭାବେ ଏଠାକାର ପୂଜକମାନେ ଅଲାରନାଥ ମହାପ୍ରଭୁଙ୍କ ସେବା ସମ୍ପାଦନ କରି ଆସୁଛନ୍ତି । ଶ୍ରୀ ଅଲାରନାଥଙ୍କ ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତି ଚାରିପଟେ ତୋରଣ ଅଛି ।
ତୋରଣ ତଳେ ପାର୍ଶ୍ଵଦେବୀ ଶ୍ରୀଦେବୀ, ଭୂଦେବୀ ବିଦ୍ୟମାନ କରୁଛନ୍ତି । ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ। ଶ୍ରୀ ଜୀଉଙ୍କ ଊର୍ଦ୍ଧ୍ଵ ବାମ ହସ୍ତରେ ଶଙ୍ଖ, ଡାହଣ ହସ୍ତରେ ଚକ୍ରଚିହ୍ନ ଅଛି । ନିମ୍ନ ବାମ ହସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ । ଏଣୁ ଶ୍ରୀ ଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ ।
ଅଲାରନାଥଙ୍କୁ ନେଇ ଆହୁରି ଏକ ପୌରାଣିକ ବିଷୟବସ୍ତୁ ରହିଛି । ସତ୍ୟଯୁଗ ସମୟର କଥା, ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ଲାଗି ଘୋର ତପସ୍ୟା କଲେ । ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ୍ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର ।
ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା ।
ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା ।