SunstarTV
ସେଙ୍ଗୋଲକୁ ନେଇ ତେଜିଲା ରାଜନୀତି। ଏହାକୁ ହଟାଇବାକୁ ନେଇ ହଙ୍ଗାମା ହୋଇଛି। ଲୋକସଭା ନିର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ଚାଲିଛି। ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ଓ ବାଚସ୍ପତି ନିର୍ବାଚନ ପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି।
ବିରୋଧୀ ଦଳ ବାଚସ୍ପତି ଆସନ ନିକଟରେ ସ୍ଥାପିତ ସେଙ୍ଗୋଲ ହଟାଇବାକୁ ଦାବି କରିଛନ୍ତି। ଏ ନେଇ ଗୃହରେ ପାଟି ତୁଣ୍ତ ମଧ୍ୟ ହୋଇଛି। ସମାଜବାଦୀ ପାର୍ଟି (ଏସପି) ସେଙ୍ଗୋଲକୁ ରାଜତନ୍ତ୍ରର ପ୍ରତୀକ ବୋଲି କହି ଏହାକୁ ହଟାଇବା ସହ ତା’ସ୍ଥାନରେ ସମ୍ବିଧାନ ପ୍ରତିଷ୍ଠା ବହିକୁ ସ୍ଥାନ ଦେବାକୁ ଦାବି କରିଛି। ସମାଜାବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଆର୍କେ ଚୌଧୁରୀ କହିଛନ୍ତି, ‘ସମ୍ବିଧାନ ବେଶ୍ ମହତ୍ତ୍ୱପୂର୍ଣ୍ଣ। ଏହା ଗଣତନ୍ତ୍ରର ପ୍ରତୀକ। ପୂର୍ବ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ସଂସଦରେ ‘ସେଙ୍ଗୋଲ’ ପ୍ରତିଷ୍ଠା କରିଥିଲେ। ସମ୍ବିଧାନକୁ ବଞ୍ଚାଇବା ପାଇଁ ସେଙ୍ଗୋଲକୁ ସଂସଦରୁ ହଟାଇବାକୁ ମୁଁ ଦାବି କରୁଛି।’
ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମ ଦଳର ଏମପି ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସେଙ୍ଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଯେତେବେଳେ ଶପଥ ନେଲେ ସେତେବେଳେ ନମସ୍କାର କରିବାକୁ ଭୁଲି ଯାଇଥିଲେ। ବୋଧେ ମୋଦି ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ।
ତେବେ ସେଙ୍ଗୋଲ ହଟାଇବା ଦାବି ଉଠିବା ପରେ ଏହାକୁ ନେଇ ବିଜେପି ବର୍ଷିଛି। ବିଜେପି ସାଂସଦ ମହେଶ ଜେଠମାଲାନି କହିଛନ୍ତି ଯେ ସେଙ୍ଗୋଲ ହେଉଛି ଦେଶର ପ୍ରତୀକ। ସେଙ୍ଗୋଲ ପ୍ରତିଷ୍ଠା କରାଯାଇଥିଲା, ବର୍ତ୍ତମାନ ତାଙ୍କୁ କେହି ହଟାଇପାରିବେ ନାହିଁ।