SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାଜ୍ୟରେ ଗତ କିଛି ଦିନ ହେବ ହୁ ହୁ ହୋଇ ବଢିବାର ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ । ତେଲ, ଡାଲି, ଚାଉଳ ଠାରୁ ଆରମ୍ଭ କରି ପନି ପରିବା ସବୁ ଏବେ ଆକାଶ ଛୁଆଁ ହୋଇଛି । ଯାହା ବର୍ତ୍ତମାନ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କ ଚିନ୍ତାର କାରଣ ସାଜିଛି । ଏପରି ସ୍ଥିତିରେ କଳାବଜାର ସହ ଅସାଧୁ ବ୍ୟବସାୟୀମାନଙ୍କ ଉତ୍ପାତ ମଧ୍ୟ ବଢିଥିବା ଜଣାପଡଛି । ଫଳରେ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଖବର ଆସୁଛି । ଅନେକ ପରିବାର ନିଜର ସ୍ୱଳ୍ପ ଆୟରେ ନିଜର ଏବଂ ପରିବାରର ଗୁଜୁରାଣ ମେଣ୍ଟାଇ ପାରୁ ନାହାନ୍ତି । ଯାହାକୁ ନେଇ ବର୍ତ୍ତମାନ ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।
ଖାଦ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାରେ ଆୟର ସିଂହ ଭାଗ ଖର୍ଚ୍ଚ କରିବାକୁ ପଡ଼ୁଛି। ଦରଦାମ୍ରେ ଏଭଳି ହଠାତ୍ ବୃଦ୍ଧିରୁ ଲୋକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ସ୍ଥିତିର ଫାଇଦା ଉଠାଇ ମୁନାଫା କରିବାକୁ ଚାହୁଥିବା ବ୍ୟବସାୟୀମାନଙ୍କୁ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଅସାଧୁ ଉପାୟରେ କାରବାର କରୁଥିବା ବ୍ୟବସାୟୀ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ୍ ଶୁଣାଇଛନ୍ତି।
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟର ଖାଉଟିମାନେ ଯେଭଳି ସୁଲଭ ଓ ଉଚିତ୍ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ତାହା ନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଲାଭଖୋର ଓ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଖାଉଟି ସାମଗ୍ରୀଗୁଡ଼ିକର ଦରବୃଦ୍ଧି ଏବେ ଜାତୀୟ ସମସ୍ୟା ହୋଇରହିଛି। ତେବେ ଏହାର ଲାଭ ଯେଭଳି ରାଜ୍ୟର ଅସାଧୁ ବ୍ୟବସାୟୀମାନେ ନ ଉଠାନ୍ତି ତାହାକୁ ନିଶ୍ଚିତ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ସଜାଗ ରହିବାକୁ ମନ୍ତ୍ରୀ କହିଛନ୍ତି।