Sunstar Tv
Debasnana Purnima: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗଜ ବେଶରେ ଦେଖି ବିମୋହିତ ହେବେ ଶ୍ରଦ୍ଧାଳୁ।
ରାତି ପାହିଲେ ଶ୍ରଦ୍ଧାଳୁମାନେ ଏହି ଦିବ୍ୟ ଅନୁଭୂତି ପାଇବା ପାଇଁ ବ୍ୟାକୁଳ ହୋଇ ଚାହିଁ ବସିଛନ୍ତି ।
ସ୍ନାନ ମଣ୍ଡପ ଓ ବଡ଼ଦାଣ୍ଡ ସଜେଇ ହେବାରେ ଲାଗିଛି । ସ୍ନାନ ମଣ୍ଡପକୁ ଚିତ୍ରକରମାନେ ପାରମ୍ପରିକ ରଙ୍ଗରେ ସୁସଜ୍ଜିତ କରିଛନ୍ତି । ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।
ଭୋର୍ ୫ଟାରୁ ପହଣ୍ଡି, ୩ଟା ୪୦ରୁ ଗଜବେଶ। ରାତି ସାଢ଼େ ୭ରୁ ସାଢ଼େ ୧୦ଟା ସାହାଣ ମେଲା ଦର୍ଶନ । ରାତି ୧୧ରେ ବେଶ ଓଲାଗି, ସାଢ଼େ ୧୧ରୁ ବାହୁଡ଼ା ପହଣ୍ଡି ।
ଶ୍ରୀ ବଳଭଦ୍ରଙ୍କ ପାଇଁ ଧଳା ରଙ୍ଗର ବେଶ ପ୍ରସ୍ତୁତ କରାଯାଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳା ରଙ୍ଗର ବେଶ ପ୍ରସ୍ତୁତ କରାଯାଉଛି । ଠାକୁରଙ୍କ ଶ୍ରୀ ମସ୍ତକ ପାଇଁ ତରାସ ଓ ତାର ନିମ୍ନ ଅଂଶ ପାଇଁ ଡାଳି ନିର୍ମାଣ ହୋଇଛି ।
ମୁଖାରବିନ୍ଦରେ କିଆ ଫଳି ଲାଗି କରାଯିବ । ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡ଼ହସ୍ତ, ଅଧର, ତୋରନା ଓ ଗଜକୁମ୍ଭ ମଧ୍ୟ ତିଆରି କରାଯାଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ଦୁଇଟି ତଡକି, ନାକୁଆସି, ତରାସ, ଛତି ଓ ଚୁଳ ଏବଂ ଚିତା ଆଦି ବେଶ ପ୍ରସ୍ତୁତ କରାଯାଇଛି ।
ସେହିପରି ମହାପ୍ରଭୁ ସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ପତ୍ର, ଚୂଳ ଓ ଓଲାର ତିଆରି କରାଯାଉଛି । ପଟୁଆରରେ ବେଶ ବିଜେ ହୋଇ ସ୍ନାନ ମଣ୍ଡପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ଏଥିନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପାଇଁ ୬୮ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୪୪୭ ପୁଲିସ ଅଧିକାରୀ, ୫୯୪ ହୋମ୍ଗାର୍ଡ, ୪ଶହରୁ ଅଧିକ କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଛି।