ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତର ସେନାମୁଖ୍ୟ ଜେନେରାଲ୍ ମୁକୁନ୍ଦ ମନୋଜ ନରବାନେ ତିନିଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି । ସେ ସେଠାରେ ଦକ୍ଷିଣ କୋରିଆର ବରିଷ୍ଠ ସାମରିକ ଓ ବେସାମରିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ପୂର୍ବ ଏସୀୟ ଦେଶମାନଙ୍କ ସହ ସାମରିକ ସହଯୋଗ ସୁଦୃଢ଼ କରିବା ନିମନ୍ତେ ସେ ଏହି ଗସ୍ତ କରିଥିବା ସୂଚନା ମିଳିଛି ।
ମିଆଁମାର, ନେପାଳ, ସଂଯୁକ୍ତ ଆରବ ଏମିରେଟ୍ସ୍ ଏବଂ ସାଉଦି ଆରବ ଗସ୍ତ ପରେ କୋଭିଡ୍-୧୯ ମହାମାରୀ ସମୟରେ ଏହା ହେଉଛି ନରବାନେଙ୍କର ପଞ୍ଚମ ବିଦେଶ ଗସ୍ତ । ଏହି ତିନିଦିନିଆ ବିଦେଶ ଗ୍ରସ୍ତରେ ନରବାନେ ସିଓଲ୍ସ୍ଥିତ ‘ଜାତୀୟ ସାମାଧି ଏବଂ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଳିକା ଅର୍ପଣ କରିବା ସହ ନରବାନେ କୋରିଆର ପ୍ରତିରକ୍ଷାମନ୍ତ୍ରୀ, ସେନାମୁଖ୍ୟ, ‘ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍’ର ଅଧ୍ୟକ୍ଷ ଏବଂ ‘ଡିଫେନ୍ସ୍ ଆକ୍ୱିଜିସନ୍ ପ୍ଲାନିଙ୍ଗ୍ ଆଡ୍ମିନିଷ୍ଟ୍ରେସନ୍’ର (ଡିଏପିଏ) ମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ସେମାନଙ୍କ ସହ ନରବାନେ ଭାରତ ଓ ଦକ୍ଷିଣ କୋରିଆ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ଉପାୟ ସଂକ୍ରାନ୍ତରେ ଆଲୋଚନା କରିବେ ।