SunstarTV
ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଆଜି ଚାଷୀଙ୍କୁ ପ୍ରଦାନ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହିତ ସାଂସଦମାନେ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ରହି କିଷାନ ସମ୍ମାନ ନିଧି ଅର୍ଥ ଚାଷୀଙ୍କୁ ବଣ୍ଟନ କରିବେ। ଏହି ଅବସରରେ ବରଗଡ଼ର ଗାନ୍ଧି ଛକରୁ ବାନ୍ଦୁଟିକ୍ରା ଛକ ପର୍ଯ୍ୟନ୍ତ ଏକ ରୋଡ୍ ଶୋ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଜର୍ଜ ହାଇସ୍କୁଲ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ନୂଆ ସରକାର ଓ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ବ ନେବା ପରେ ପ୍ରଥମେ ବରଗଡ ଗସ୍ତ କରିବେ।
୧୭ତମ କିସ୍ତି ବଣ୍ଟନ ଦିବସକୁ ‘ପିଏମ୍ କିଷାନ ଉତ୍ସବ’ ଭାବେ ପାଳନ କରାଯିବ। ଆଜି ଅପରାହ୍ଣ ସାଢେ ୪ଟାରୁ ୭ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦେଶର ମୋଟ ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ ଉତ୍ତରପ୍ରଦେଶ ବାରାଣସୀରୁ ଡିବିଟି ମାଧ୍ୟମରେ ମୋଟ ୨୦ ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିବ।
ସେହିପରି ପୁରୀରେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, ସିଫା, କୌଶଲ୍ୟାଗଙ୍ଗରେ ମୁକେଶ କୁମାର ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଣ ରାମସିଂହ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳସାମନ୍ତ, ଭଞ୍ଜନଗରରେ ଗୋକୁଳଚନ୍ଦ୍ର ମଲ୍ଲିକ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ରହିବେ। ଏହାସହ ବାଲେଶ୍ବର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ସାଂସଦମାନେ ଓ ଗଜପତିରେ ବ୍ରହ୍ମପୁର ସାଂସଦ ଉପସ୍ଥିତ ରହିବେ।