Sunstar TV :
ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷ ଯାତ୍ରା । ଏନେଇ ଏବେ ଠୁ ଚଳଚଞ୍ଚଳ ହୋଇ ଉଠିଲାଣି ପୁରୀ ଶ୍ରୀକ୍ଷେତ୍ର । ଲାଗିଛି ଭକ୍ତଙ୍କ ଅସମ୍ଭାଳ ଭିଡ । ତେବେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ସରିବା ପରେ ଆଜ୍ଞାମାଳ ପାଇ ପ୍ରଭୁ ମଦନମୋହନ ଖଟ ଉପରକୁ ବିଜେ କରିବେ । ଏହାପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯାଇଥାଏ । ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡ଼ଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ । ତାପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସାରି ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ, ଛତା, କାହାଳି ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ ।
ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ତେବେ ପବିତ୍ର ତିଥିକୁ ନେଇ ଶ୍ରୀମନ୍ଦିର ରହିଛି ଚଳଚଞ୍ଚଳ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି ଶ୍ରୀମନ୍ଦିରରେ । ସେପଟେ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଚାଲିଥିବା ବେଳେ ଏହାକୁ ଦେଖିବାକୁ ରଥ ଖଳା ନିକଟରେ ମଧ୍ୟ ଭକ୍ତଙ୍କ ନାହିଁନଥିବା ଭିଡ଼ ଜମିଛି । ଦେବସ୍ନାନ ପୂର୍ଣ୍ଣିମା ନଆସୁଣୁ ତିନି ରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି । ଟାର୍ଗେଟ ଥାଏ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ଚାରିନାହାକା ଉଠିବ । କିନ୍ତୁ ଭୋଇ ସେବକମାନେ ମହାରଣାଙ୍କ ନିର୍ଦ୍ଦେଶରେ ତିନି ରଥର ଚାରି ନାହାକା ଉଠାଇବା ସହ ତୃତୀୟ ହରିବୋଲ ପକାଇଛନ୍ତି । ଶୀତଳଷଷ୍ଠୀ ପୂର୍ବଦିନ ତିନିରଥର ସମସ୍ତ ୪୨ ଚକ ସହ ୨୧ ଅଖ ସଂଯୋଗ ହୋଇ ଡେରା ଯାଇଥିଲା । ସେହିପରି ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।