Sunstar TV :
ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ଅକଥନୀୟ ଭିଡ । ସକାଳ ୮ଟାରୁ ଜମିଛି ଭିଡ । ଚାରି ଦ୍ୱାର ଖୋଲିବା ପରେ ବିନା ବାଧାରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ମିଳିଛି ଆଶ୍ୱସ୍ତି । କିନ୍ତୁ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ତେବେ ଏତେ ଭିଡ ସତ୍ତ୍ୱେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି । ଆଗକୁ ଶୃଙ୍ଖଳିତ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଜୁନ ୧୩ ତାରିଖରେ ରତ୍ନ ବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରିବା ପରେ ହିଁ ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଥିଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର । ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ । ତେବେ ଦୀର୍ଘଦିନରୁ ଅପେକ୍ଷାରେ ଥିବା ଭକ୍ତ ଏବେ ଚାରି ଦୁଆର ଖୋଲିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟୁଛି ସୁଅ । ଯାହାକୁ ନେଇ କେବଳ ଯେ, ଭକ୍ତ ଆନନ୍ଦିତ ହୋଇଛନ୍ତି ତା’ନୁହେଁ ବିଶ୍ୱାସ ଆଧାରିତ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ୱାରରେ ଦୀର୍ଘଦିନ ପରେ ପ୍ରବେଶର ସୁଯୋଗ ପାଇ ବି ଆନନ୍ଦିତ ହୋଇଛନ୍ତି । ସେଥିପାଇଁ ସେମାନେ ରାଜ୍ୟରେ ନୂଆ କରି ଶାସନ ଭାର ନେଇଥିବା ବିଜେପି ସରକାର ଓ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେବାକୁ ପଛାଇ ନାହାନ୍ତି ।
ଅନ୍ୟପକ୍ଷରେ ଆଜି ରବିବାର ସହିତ ଶେଷ ରଜରେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଧାଇଁ ଆସିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ଵାରରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି । ପୋଲିସ୍ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରାଯାଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଉଛି । ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ବେଶ ଖୁସି । ତେବେ ଚାରିଦ୍ବାର ଖୋଲିଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିବାରେ ବହୁ ଅସୁବିଧା ଭୋଗୁଛନ୍ତି ଭକ୍ତ ବୋଲି ସୂଚନାରୁ ପ୍ରକାଶ।
ବିଶେଷ କରି ଶ୍ରୀମନ୍ଦିର ଭିତରକୁ ଗଲାବେଳେ ସାତ ପାହାଚ ଠାରୁ ଭିତର କାଠ ଓ ବାହାର କାଠ ଯାଏଁ ଭିଡ଼ ଅସମ୍ଭାଳ ରହୁଛି । ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ପୋଲିସ୍ ବ୍ୟବସ୍ଥା ନାହିଁ । ଏଣୁ ଭକ୍ତମାନେ ଠେଲାପେଲାରେ ବଡ କଷ୍ଟରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଭିଡ଼କୁ ଦେଖି ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ନକରି କେବଳ ନୀଳଚକ୍ର ଦର୍ଶନ କରି ଫେରିଆସୁଛନ୍ତି । ସାତ ପାହଚ ଠାରୁ ଭିତର କାଠ ଓ ବାହାର କାଠରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ନୂଆ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଭକ୍ତଗଣ ବୋଲି ସୂଚନାରୁ ପ୍ରକାଶ । ଗତକାଲି ରଜ ସଂକ୍ରାନ୍ତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥଲା । ଏଭଳି ସ୍ଥିତି ହୋଇଥଲା ଯେ ଭିଡ଼ ନିୟନ୍ତ୍ରଣ କରିବାରେ ପୁରୀ ପୋଲିସ୍ ଫେଲ ମାରିଥିଲା । ଫଳରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ବେଶ୍ ଭିଡ ହୋଇଥିଲା ।