SunstarTV
ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବିଜେପି ସରକାରକୁ ଆସିବା ପରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଉଛି । ତେଣୁ ଆଗକୁ ଥିବା ରଥଯାତ୍ରା ଯାହା ପାଇଁ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଏହାକୁ କିପରି ସୁରୁଖୁରରେ କରାଯାଇ ପାରିବ ଏହାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଅତିଥି ଭବନରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ଶେଷ ହେବ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଘୋଷଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ସମସ୍ତଙ୍କ ସହଯୋଗ କାମନା କରୁଛୁ। ଉଭୟ ଯାତ୍ରା ଓ ସମନ୍ୱୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଆଗକୁ ନୀତିକାନ୍ତି ନେଇ ସେବାୟତ ଓ ପରିଚାଳନା କମିଟି ସହିତ ବୈଠକ ହେବ। ରଥଯାତ୍ରାରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେଉ ଏହା ପ୍ରତି ସରକାର ନଜର ଦେବେ। ଆଗକୁ ଭିଡି ନିୟନ୍ତ୍ରଣ ସହିତ ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ।