Sunstar TV :
ବଦଳିବ ବନ୍ଦେ ଭାରତ ଟ୍ରେନର ରୂପ । ବଦଳିଛି ଟ୍ରେନର ଢାଞ୍ଚା । ନୂଆ ରୂପରେ ଗ୍ରାହକଙ୍କୁ କରିବ ସ୍ୱାଗତ । ଗଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ । ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଆଗାମୀ ୨ ମାସ ଭିତରେ ଟ୍ରାକରେ ନୂଆରୂପରେ ଦୌଡ଼ିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏନେଇ ବନ୍ଦେ ଭାରତ ସ୍ଲିପର୍ ଟ୍ରେନର ନିର୍ମାଣ କାମ ଜୋରସୋରରେ ଚାଲିଛି। ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ କାମ। ବାଙ୍ଗାଲୋରରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ଚାଲିଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ । ଏହି ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ । ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ। ଏହାର ବଡି ଷ୍ଟ୍ରକ୍ଚର୍ ହାଇଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି । ଯେଉଁଥିରେ ରହିଛି କ୍ରାସ୍ ବଫର୍ ଉପାଦାନ। ଏବେ ଦେଶରେ ବନ୍ଦେ ଭାରତର ଚେୟାର କାର୍ ଟ୍ରେନ୍ ଚଳାଚଳା କରୁଛି । ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୬୦-୨୨୦ କିଲୋମିଟର ବେଗରେ ଗଡ଼ିବ । ଡିସେମ୍ବର କିମ୍ବା ଜାନୁଆରୀରେ ଦିଲ୍ଲୀ-କୋଲକାତା ଏବଂ ଦିଲ୍ଲୀ-ମୁମ୍ବାଇର କୌଣସି ଏକ ରେଲୱେ ଟ୍ରାକରେ ଏହି ଟ୍ରେନରେ ଗଡ଼ିବ ।
ବନ୍ଦେ ଭାରତ ସ୍ଲିପର ଟ୍ରେନରେ ୧୬ଟି କୋଚ୍ ରହିବ । ସେଥିମଧ୍ୟରୁ ୧୦ଟି କୋଚ୍ AC-3, ୪ଟି କୋଚ୍ AC-2 ଏବଂ ଗୋଟିଏ କୋଚ୍ AC-1 ହେବ । ବନ୍ଦେ ଭାରତ ସ୍ଲିପର ଟ୍ରେନର ଭଡା ବର୍ତ୍ତମାନ ଧାର୍ଯ୍ୟ ହୋଇନାହିଁ । ତେବେ ଏହାର ଗତି, ସୁବିଧା ଏବଂ ନିରାପତ୍ତାକୁ ବିଚାରକୁ ନେଲେ ରାଜଧାନୀ ଏକ୍ସପ୍ରେସ୍ ଏବଂ ଶତାବ୍ଦୀ ଏକ୍ସପ୍ରେସଠାରୁ ଏହାର ଭଡା ୧୦-୧୫% ଅଧିକ ହେବ ବୋଲି ଆଶା କରାଯାଇପାରେ । ଆସନ୍ତା ଦୁଇ ମାସ ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଟ୍ରାଏଲ୍ ରନ୍ ଆରମ୍ଭ ହେବ ବୋଲି ଆକଳନ କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ପ୍ରଥମେ ୨ଟି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚାଲିବ। ସେହିପରି ଅମୃତ ଭାରତ ଟ୍ରେନର ଉତ୍ପାଦନ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ଆଦି ମେଟ୍ରୋ ସହରରେ ଚାଲିପାରେ ବୋଲି ସୂଚନାରୁ ପ୍ରକାଶ ।