SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର । ଓଡ଼ିଆଙ୍କ ଗଣପର୍ବରେ ପୁର ପଲ୍ଲୀଠୁ ସହର-ସବୁଠି ଚାଲିଛି ରଜ ମଉଜ । ଘରେ ଘରେ ପିଠାପଣା ମହକ । ନୂଆ ପୋଷାକ ସହ ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇ ଦୋଳି ମଜା ନେଉଛନ୍ତି କୁଆଁରୀ ଝିଅ ଆଉ ବୋହୁ । ଖିଲିପାନ ଖାଇ ଓଠ ଲାଲ୍ କରି ଦୋଳିରେ ଝୁଲି ଗାଉଛନ୍ତି ରଜ ଗୀତ ।
ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଛି ରଜ ।
ଓଡ଼ିଶାରେ ମୌସୁମୀ ପହଞ୍ଚିନି । ହେଲେ କେଉଁଠି ଝିପି ଝିପି ତ ଆଉ କେଉଁଠି ଅସରାଏ ବର୍ଷା ଭିଜାଇଛି ମାଟି । ଯେମିତି ପହିଲି ରଜକୁ ସ୍ବାଗତ କରୁଛି ବର୍ଷା । ଏହାରି ଭିତରେ ସଜେଇ ହୋଇଛି ପୁରପଲ୍ଲୀ । ରଜଗୀତର ତାଳେ ତାଳେ ଚାଲିଛି ରଜ ମଉଜ । ରଜ ପାନର ମଜା, ଏପଟେ ଘରେ ଘରେ ପିଠା ମିଠାର ଆସର । ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ ।
କୃଷିଭିତ୍ତିକ ପର୍ବ ରଜ । ଧରିତ୍ରୀ ଏବେ ରଜସ୍ବଳା । ସେଥିପାଇଁ ରଜ ତିନି ଦିନ ଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ । ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜ ସଙ୍କ୍ରାନ୍ତି, ଶେଷ ରଜ- ତିନି ଦିନି ଧରି ପିଲାଠୁ ବୟସ୍କ ସମସ୍ତେ ରଜ ମସ୍ତି କରିଥାନ୍ତି ।