Sunstar TV :
ଚାଲିଛି ଓଡିଆଙ୍କ ଗଣପର୍ବ ରଜପର୍ବ । ଏନେଇ ଚାରିଆଡେ ମାହୋଲ ଖୁସି ଖୁସି ଲାଗୁଥିବା ବେଳେ ବିନା ପାନରେ ରଜର କିଛି ମଜା ନାହିଁ । ତେଣୁ ସହରରେ ସହରିଆଙ୍କୁ ଗାଁର ରଜମଜା ଦେବାକୁ ଠାଆକୁ ଠାଆ ଏମିତି ସ୍ପେଶାଲ ପାନର ପସରା ଖୋଲିଲାଣି । ସେ ଯୁବପୀଢି ହୁଅନ୍ତୁ କି ବୟସ୍କ । ରଜରେ ରଜ ପାନ ଖାଇବାକୁ ଅପେକ୍ଷା କରିଥାନ୍ତି ସମସ୍ତେ । କଥାରେ ଅଛି ”ପାନଖିଆ ରସିକ ପାଟି ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶୀରରେ ରାଜା ହୋଇଗଲା ରଜରେ” । ରଜ ପର୍ବ ଖାଲି ପିଠାପଣା କି ଦୋଳିରେ ଝୁଲିବା ନୁହେଁ । ରଜରେ ପାନ ଖାଇବା ଓ ରଜପାନର ଏକ ବିଶେଷତ୍ୱ ରହିଛି । ରଜରେ ପାନଖିଆ ଏକ ପୁରୁଣା ପରମ୍ପରା ରହିଆସିଛି । କୁହାଯାଏ ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ଓ ବନ୍ଧୁତାର ଲକ୍ଷଣ ରଜ ପାନ । ”ଦିଏ, ନିଏ ଖାଏ ଗୋପନ କଥା କହେ ଓ ପଚାରେ” ଏହି ୬ଟି ଆନ୍ତରିକତା ଓ ନିବିଡତାର କଥା ।
ତେବେ କାହିଁକି ରଜରେ ପାନ ଖାଇବାର ପରମ୍ପରା ରହିଛି ଚାଲନ୍ତୁ ଜାଣିବା ?
ରଜରେ ପାନ ଖାଇବା ପୁରୁଣା କାଳରୁ ରହିଆସିିଛି । କାରଣ ଏହା ବନ୍ଧୁତାର ଡୋରୀକୁ ଦୃଢ କରେ । ତେଣୁ ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦେଇଥାନ୍ତି । ତେଣୁ ରଜର ପାନ ଓ ଚମକ ସାରା ବର୍ଷର ପାନକୁ ଟପିଯାଏ । ରଜ ପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ଚାଉଳ, ଓ ନଡିଆଖଣ୍ଡ, ଚେରି, ଲବଙ୍ଗ, କବାବ ଚିନି, ଚୁଆ, ପାନମଧୁରୀ, କେସର, ଖଇର ପରି ୧୦-୧୨ ପ୍ରକାର ମସଲା ଦେଇ ତିଆରି ହୋଇଥାଏ ରଜ ପାନ । ଏହାକୁ ବିଭିନ୍ନ ଢଙ୍ଗରେ ସଜାଇ ସଜା ଯାଇଥାଏ । ସାଧାରଣ ଦିନର ପାନ ଠାରୁ ରଜ ପାନ ବେଶ ମହତ୍ୱ ରହିଛି । ତେବେ ମଡନ ଯୁଗରେ ରଜ ପାନ ଖାଇବାର ପରମ୍ପରା ଟିକେ ବଦଳିଛି । ରଜରେ କିଭଳି ସମସ୍ତେ ରଜ ପାନ ଖାଇପାରିବେ ସେଥିପାଇଁ ବିଭିନ୍ନ ଦୋକାନରେ ମଧ୍ୟ ନାନା ଭେରାଇଟର ରଜ ପାନର ପସରା ମେଲିଛି । ଖିଲିପାନ ଦୋକାନୀଙ୍କର ଆକର୍ଷଣୀୟ ଡିଜାଇନର ପାନ ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି ଗ୍ରାହକ । କାରଣ ରଜର ଆକର୍ଷଣ ହେଉଛି ମିଠାପାନ । ଆଉ ରଜ ଆସିଲେ ବଜାରରେ ପାନର ଦର ମଧ୍ୟ ଆବଶ୍ୟକତା ଠାରୁ ଅଧିକ ବଢିଯାଏ ।